ଭାରତ-ଚୀନ ବିବାଦ, ହୋଇପାରେ ୯ମ ରାଉଣ୍ଡ ବୈଠକ

ନୂଆଦିଲ୍ଲୀ: ଭାରତ ଚାଇନା ବିବାଦ ଥମିବାରେ ନାଁ ଧରୁନି। ଦୁଇ ଦେଶ ଅନେକ ଥର ନିଜ ସେନାକୁ ସୀମାରୁ ପଛକୁ ହଟାଇବା ପାଇଁ ଆଲୋଚନା ହୋଇଥିଲେ ମଧ୍ୟ ଏହାର କିଛି ସୁଫଳ ମିଳି ପାରିନାହିଁ। ବର୍ତ୍ତମାନ ସ୍ଥିତିରେ ସୀମାରୁ କୌଣସି ପ୍ରକାରର ସେନା ଯବାନଙ୍କୁ ପଛକୁ ହଟା ଯିବନାହିଁ ବୋଲି ଜଣାପଡ଼ିଛି।
ସୂତ୍ର ଅନୁସାରେ, ସେନା ପ୍ରତ୍ୟାହାର ପାଇଁ ଉଭୟ ଦେଶ ଆଲୋଚନା କରିଥିଲେ। ହେଲେ ସେନା ପ୍ରତ୍ୟାହାର ପାଇଁ ଜାରି ହେଉଥିବା ସର୍ତ୍ତାବଳୀକୁ ଭାରତ କିମ୍ବା ଚାଇନା ଗ୍ରହଣ କରିବାକୁ ଅମଙ୍ଗ ହୋଇଥିଲେ। ବୁଝାମଣା ଅଭାବରୁ ଉଭୟ ଦେଶ ମଧ୍ୟରେ ଚୁକ୍ତି ମଧ୍ୟ ହୋଇପାରି ନଥିଲା।
ଏହି କାରଣରୁ ସେନା ହଟାଇବା ନିଷ୍ପତ୍ତି ଅଧାରେ ଅଟକିଛି। ତେବେ ଆଗକୁ ପୁଣି ଆଲୋଚନା ହେବ ବୋଲି ଜଣାପଡ଼ିଛି। ଭାରତ ଓ ଚାଇନା ମଧ୍ୟ ୯ମ ରାଉଣ୍ଡ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଚାଇନା କହିଛି ଯେ ଡିସଏନଗେଜମେଣ୍ଟ ପ୍ରକ୍ରିୟା ପ୍ରଥମେ ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ଥିବା ଚୁସୁଲ ଅଞ୍ଚଳରୁ ଆରମ୍ଭ ହେବା ଉଚିତ।
ଏହି ଅଞ୍ଚଳକୁ ଭାରତୀୟ ସେନା ଅଗଷ୍ଟ ୨୯-୩୦ରୁ କବଜା କରି ଚାଇନାକୁ ବ୍ୟାକଫୁଟ୍କୁ ଠେଲି ଦେଇଛନ୍ତି। ତେଣୁ ବେଜିଂ ଏଭଳି ସର୍ତ୍ତାରୋପ କରିଥିଲା। କିନ୍ତୁ ଭାରତ ଏଥିରେ ରାଜି ହୋଇ ନାହିଁ।