Odisha Link
Bridging the Missing Links in Odisha

ତଦନ୍ତ କରିବେ ଅରୁଣ ବୋଥ୍ରା, ପାଟଣାଗଡ଼ରେ ପାଇଥିଲେ ସଫଳତା

ଭୁବନେଶ୍ବର: ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅରୁଣ ବୋଥ୍ରା। ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ସଫଳତା ପାଇଥିଲେ ବୋଥ୍ରା। ରହସ୍ୟ ଘେରରେ ଥିବା ଆପରାଧିକ ଘଟଣା ଉପରୁ ପରଦା ହଟାଇ ଅପରାଧୀକୁ ଧରିବାରେ ବୋଥ୍ରାଙ୍କର ପୂର୍ବ ରେକର୍ଡ ରହିଛି।

ଆଜି ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ସରକାରଙ୍କର ସ୍ବତନ୍ତ୍ର ସଚିବ ଡ. ସନ୍ତୋଷ ବାଲା ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି। ସରକାରଙ୍କ ପ୍ରସ୍ତାବ ଅନୁସାରେ ପରୀ ହତ୍ୟକାଣ୍ଡର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ତଦନ୍ତ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ବର୍ତ୍ତମାନ ରାଜ୍ୟ ପୁଲିସ ମହା ନିରୀକ୍ଷକ ଥିବା ଅରୁଣ ବୋଥ୍ରାଙ୍କୁ ଏହି ଏସ୍ଆଇଟିର ମୁଖ୍ୟ ରଖାଯାଇଛି। ତାଙ୍କ ଦଳରେ କ୍ରାଇମ୍‌ ବ୍ରାଞ୍ଚ ସିଆଇଡି ପୁଲିସ ଅଧୀକ୍ଷକ ଆର୍‌କେ ଦୋରା, ଅତିରିକ୍ତ ପୁଲିସ ଅଧୀକ୍ଷକ ଆର୍‌ସି ଥାମ୍ବା, ପୁଲିସ ନିରୀକ୍ଷକ ନରେନ୍ଦ୍ର କୁମାର ବେହେରା ଓ ପୁଲିସ ନିରୀକ୍ଷକ ମମତାରାଣୀ ପଣ୍ଡା ଅଛନ୍ତି।

ଏହି ତଦନ୍ତକାରୀ ଦଳକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତି ଅନୁକ୍ଷଣ କରିବା ଲାଗି ଅନୁରୋଧ କରି ହାଇକାର୍ଟର ରେଜିଷ୍ଟ୍ରାର୍‌ ଜେନେରାଲଙ୍କୁ ଚିଠି ଲେଖିଛନ୍ତି ସନ୍ତୋଷ ବାଲା।

ନୟାଗଡ଼ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଯଦୁପୁର ଗାଁରେ ୫ ବର୍ଷର ନିରୀହ ବାଳିକା ପରୀର ହତ୍ୟାକାଣ୍ଡକୁ ଇତି ମଧ୍ୟରେ ୪ ମାସ ବିତି ଯାଇଥିଲେ ବି ଅପରାଧର କାରଣ ଜାଣିବାରେ ଓ ଅପରାଧୀକୁ ଧରିବାରେ ବିଫଳ ହୋଇଛି ଜିଲ୍ଲା ପୁଲିସ। ଏ ନେଇ ଅସନ୍ତୋଷ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ପ୍ରଥମେ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ଘଟଣାର ଗୁରୁତ୍ବକୁ ବିଚାରକୁ ନେଇ ଏସ୍ଆଇଟି ଦ୍ବାରା ତଦନ୍ତ କରାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ଅରୁଣ ବୋଥ୍ରାଙ୍କ ପରି ଦକ୍ଷ ଅଧିକାରୀଙ୍କ ନେତୃତ୍ବରେ ଖୁବ୍‌ ଶୀଘ୍ର ଘଟଣା ଉପରୁ ପରଦା ହଟିବ ଓ ଅପରାଧୀ ଧରାହେବ ବୋଲି ନୟାଗଡ଼ରେ ଆଶା ଦାନା ବାନ୍ଧିଛି। ପାଟଣାଗଡ଼ ଘଟଣାରେ ଅରୁଣଙ୍କ ଅଭୂତପୂର୍ବ ସଫଳତା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେ ଘଟଣା ନେଇ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିବା ବେଳେ ସେଥିରେ ପ୍ରସିଦ୍ଧ ବଲିଉଡ୍‌ ଅଭିନେତା ଅତୁଲ କୁଲକର୍ଣୀ ଅରୁଣ ବୋଥ୍ରାଙ୍କ ଭୂମିକାରେ ଅଭିନୟ କରିଛନ୍ତି।

Comments are closed.