Odisha Link
Bridging the Missing Links in Odisha

ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ ଦାବି କଲା କଂଗ୍ରେସ

ବ୍ରହ୍ମପୁର: ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡୁଆ ବଢ଼ି ବଢ଼ି ଚାଲିଛି। ଗତକାଲି ବିଜେଡିରୁ ବହିଷ୍କାର ହେବା ପରେ ଆଜି ତାଙ୍କୁ ଗିରଫଦାରୀ କଥା ଉଠିଲାଣି। ଭାବି ଜ୍ବାଇଁ ଆକାଶ ପାଠକ ନିଜକୁ ଟାଟା ମୋଟର୍ସର ଏମ୍‌ଡି ରୂପେ ପରିଚୟ ଦେଇ ନକଲି ନିଯୁକ୍ତିପତ୍ର ପ୍ରଦାନ ଘଟଣାରେ ତଦନ୍ତ କରୁଛି କ୍ରାଇବ୍ରାଞ୍ଚ। ଏନେଇ ଆଜି ଗଞ୍ଜାମରେ କ୍ରାଇମବ୍ରାଞ୍ଚର ୨ ଇନ୍ସପେକ୍ଟର ପହଞ୍ଚି ନକଲି ନିଯୁକ୍ତିପତ୍ର ନେଇ ଖୋଳତାଡ କରୁଛନ୍ତି। ଏଣେ ଏହି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତିକୁ ନେଇ କଂଗ୍ରେସ ତାଙ୍କ ଗିରଫଦାରୀ ଦାବି କରିଛି। କଂଗ୍ରେସ ପକ୍ଷରୁ ଏନେଇ ଥାନାରେ ଏତଲା ଦିଆଯାଇଛି।

ଏତଲାରେ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ୬୮ ଜଣ ବେକାର ଯୁବକଙ୍କ ସହ ଆକାଶ ବଡ ଧରଣର ଠକେଇ କରିଛନ୍ତି । ସେମାନଙ୍କୁ ବାର୍ଷିକ ୬ ଲକ୍ଷ ଟଙ୍କାର ଦରମା ଲୋଭ ଦେଖାଇ ଠକା ଯାଇଛି । ଏହି ଠକେଇରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ତାଙ୍କ ଭାଇ ଦିଲ୍ଲୀପ ପାଣିଗ୍ରାହୀ ଓ ସୂର୍ଯ୍ୟକାନ୍ତ ସାହୁ ନାମକ ବ୍ୟକ୍ତି ସାମିଲ ଥିବା ଅଭିଯୋଗ ହୋଇଛି। ସମସ୍ତଙ୍କୁ ଗିରଫ କରିବା ପାଇଁ କଂଗ୍ରେସ ଦାବି କରିଛି। ଏନେଇ ଗୋପାଳପୁର ଥାନା ଆଗରେ କଂଗ୍ରେସ କର୍ମୀ ଏକାଠି ହୋଇଥିଲେ।

ଆକାଶ ପାଠକଙ୍କ ନାଁରେ ଆସିଥିବା ଚାକିରି ଦେବା ନାଁରେ ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ପତ୍ର ଲେଖି ଫେରାଦ ହୋଇ ଥିଲା ଟାଟା ମୋଟର୍ସ। ଆକାଶଙ୍କ ବିରୋଧରେ ଏଫଆଇଆର ମଧ୍ୟ ରୁଜୁ ହୋଇଥିଲା। ଗତକାଲି ରାତିରେ ଟିମ ବ୍ରହ୍ମପୁରରେ ପହଞ୍ଚି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଅଫିସରେ କିଛି ଅଧିକାରୀଙ୍କୁ ନେଇ ଗୋପନ ବୈଠକ କରିଥିଲା। ଏହାପରେ ଟାଟା ଥଇଥାନ କଲୋନୀର କିଛି ଲୋକଙ୍କୁ ଡାକି ପଚରାଉଚରା ବି କରିଥିଲା। ଟାଟା ଗ୍ରୁପର ଏତଲା ମୁତାବକ, ଆକାଶ ପାଠକ ନିଜକୁ ପୁଣେ ପାସେଞ୍ଜର ଡିଭିଜନର ଏମଡିଭାବେ ଦର୍ଶାଇ ଟାଟାର ଫେକ୍ ଲେଟର ହେଡ୍ ଓ ଷ୍ଟାମ୍ପ ବ୍ୟବହାର କରିଥିଲେ। ଆକାଶ ଏହାକୁ ବ୍ୟବହାର କରି ମିଛ ଫଏଲ୍ ନମ୍ବର ଓ ତାରିଖ ପକାଇ ୬୮ ଜଣ ଲୋକଙ୍କୁ ଅଫର ଲେଟର ଦେଇଛନ୍ତି।

ଏସବୁ ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆକାଶଙ୍କୁ ସବୁ ସମୟରେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ଜାଲିଆତି କଲେ ମଧ୍ୟ ଥାନାରେ ଏତଲା ହେଉନଥିବା କୁହାଯାଉଛି। ତେବେ ଠକାମୀର ଶିକାର ହୋଇଥିବା ୬୮ ଜଣଙ୍କୁ ଏସମ୍ପର୍କରେ ତଥ୍ୟ ଲୁଚାଇବାକୁ ଧମକ ଦେଉଥିବା ଅଭିଯୋଗ କରିଛି କଂଗ୍ରେସ।

Comments are closed.