Odisha Link
Bridging the Missing Links in Odisha

ବେଲଗାମ ବଢୁଛି ପେଟ୍ରୋଲ, ଡିଜେଲ୍‌ ଦର

ନୂଆଦିଲ୍ଲୀ : ବେଲଗାମ ବଢୁଛି ପେଟ୍ରୋଲ, ଡିଜେଲ୍‌ ଦର। ରବିବାର ପୁଣି ପେଟ୍ରୋଲ୍‌ ଲିଟର ପ୍ରତି ୨୮ ପଇସା ବୃଦ୍ଧି ଘଟିଛି। ଡିଜେଲ୍‌ ଦାମ ୨୯ ପଇସା ପ୍ରତି ଲିଟର ବଢ଼ିଛି। ଏହାସହ ଲଗାତର ପଞ୍ଚମ ଦିନରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦାମ ବୃଦ୍ଧି ପାଇଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳର ଦାମ ବୃଦ୍ଧି ହୋଇଥିବାରୁ ଘରୋଇ ବଜାରରେ ତେଲ ଦର ବୃଦ୍ଧି ଘଟିଛି।

ପେଟ୍ରୋଲିୟମ ବିପଣନ କମ୍ପାନୀର ଅଧିସୂଚନା ଅନୁସାରେ, ତେଲ ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍‌ ପ୍ରତି ଲିଟର ୮୩.୧୩ ଟଙ୍କାରୁ ବଢ଼ି ୮୩.୪୧ ଟଙ୍କାରେ ପହଞ୍ଚିଛି। ଏହା ସହ ଡିଜେଲ ଦାମ ୭୩.୩୨ରୁ ବୃଦ୍ଧି ପାଇ ୭୩.୬୧ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ପ୍ରତି ଲିଟର ପେଟ୍ରୋଲ୍‌ ୯୦ ଟଙ୍କା ପ୍ରତି ଲିଟର ଓ ଡିଜେଲ୍‌ ୮୦ ଟଙ୍କା ପ୍ରତି ଲିଟର ହୋଇଯାଇଛି।

୨୦ ନଭେମ୍ବରରୁ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ତୈଳ ଦର ପୁଣି ସଂଶୋଧନ କରିଛନ୍ତି। ଏହା ପରେ ଲଗାତର ପଞ୍ଚମ ଦିନରେ ବି ତୈଳ ଦରରେ ବୃଦ୍ଧି ଘଟିଛି। ୨୦ ନଭେମ୍ବରରୁ ଇନ୍ଧନ ଦର ମୋଟ ୧୪ ଥର ବଢ଼ିଛି।ଏହା ପୂର୍ବରୁ ପ୍ରାୟ ୨ ମାସ ପର୍ଯ୍ୟନ୍ତ ତୈଳ ଦରରେ ସଂ​‌ଶୋଧନ କରାଯାଇନଥିଲା।

୧୭ ଦିନରେ ପେଟ୍ରୋଲ ଦାମ ୨.୩୫ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଥିବା ବେଳେ ଡିଜେଲ୍‌ ୩.୧୫ ଟଙ୍କା ମହଙ୍ଗା ହୋଇଛି। ସେପଟେ ଅଶୋଧିକ ତୈଳର ଦାମ ବୃଦ୍ଧି ମୁଣ୍ଡବିନ୍ଧାର କାରଣ ପାଲଟିଛି। ୩୦ ଅକ୍ଟୋବରରେ ପ୍ରତି ବ୍ୟାରେଲ୍‌କୁ ୩୬.୯ ଡଲାର ଥିବା ବେଳେ ୪ ଡିସେମ୍ବରକୁ ୩୪ ପ୍ରତିଶତ ବଢ଼ି ୪୯.୫ ଡଲାର ପ୍ରତି ବ୍ୟାରେଲ୍‌ ହୋଇଥିଲା।