ପୋଢ଼ୁଆଁ ହେବେ ବଡ଼ଠାକୁର, ମାମୁଁ ଘରୁ ଯିବ ଅଷ୍ଟମୀ ଭାର

ପୁରୀ: ଆସନ୍ତା ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀରେ ପ୍ରଥମାଅଷ୍ଟମୀ। ଏହି ଦିନ ପୋଢ଼ୁଆଁ ହେବେ ବଡ଼ଠାକୁର। ଏନେଇ ବଡ଼ଠାକୁରଙ୍କ ମାମୁଁଘର ନିଆଳିର ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜାଙ୍କ ପାଇଁ ଅଷ୍ଟମୀ ଭାର ସହ ନବବସ୍ତ୍ର ପଠାଯିବ। ପୋଢ଼ୁଆଁ ଅଷ୍ଟମୀରେ ଅବସରରେ ମହାପ୍ରଭୁ ନୂଆ ବସ୍ତ୍ର ପରିଧାନ କରିବେ। ଲାଗି ହେବ ସୂତନ୍ତ୍ର ଭୋଗ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଆଳି ବ୍ଲକ ମାଧବ ସ୍ଥିତ ମାଧବାନନ୍ଦଙ୍କ ମନ୍ଦିର ଜଗନ୍ନାଥ ଠାକୁରଙ୍କ ମାମୁଁଘର। ପ୍ରଥମାଷ୍ଟମୀରେ ପୋଢୁଆଁ କରାଯାଉଥିବା ବେଳେ ଗତ କିଛି ବର୍ଷ ଧରି ଏହି ପ୍ରଥା ବନ୍ଦ ରହିଥିଲା। ଗତ ବର୍ଷ ପ୍ରଥମ କରି ମାଧବ ମନ୍ଦିର ପ୍ରଶାସନ ,ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁ ଓ ଜଗନ୍ନାଥପ୍ରେମୀ ପରମ୍ପରାକୁ ପୁନଃ ପ୍ରଚଳନ ଉଦ୍ୟମ ଆରମ୍ଭ କରି ପୋଢୁଆଁ ଭାର ନେଇ ଶ୍ରୀମନ୍ଦିର ଯାଇଥିଲେ ।
ଚଳିତ ବର୍ଷ କୋଭିଡ କଟକଣା ଯୋଗୁଁ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ପୁରୀ ଯିବାକୁ ମାଧବାନନ୍ଦଜିଉ ବିକାଶ ପରିଷଦ ସ୍ଥିର କରିଛି । ମନ୍ଦିର ସେବାୟତ ଏବଂ ବିକାଶ ପରିଷଦର ସଦସ୍ୟ ଏହି ଭାର ସହିତ ପୁରୀ ଗସ୍ତ କରିବେ ବୋଲି ଜଣାପଡିଛି ।