Odisha Link
Bridging the Missing Links in Odisha

ଅଡ଼ୁଆରେ ମାର୍କ ଜୁକରବର୍ଗ, ବିପଦରେ ଫେସ୍‌ବୁକ୍‌ ସାମ୍ରାଜ୍ୟ!

ନୂଆଦିଲ୍ଲୀ: ବିପଦରେ ଫେସ୍‌ବୁକ୍‌ ସାମ୍ରାଜ୍ୟ। ଆମେରିକୀୟ ଧନୀ ମାର୍କ ଜୁକରବର୍ଗଙ୍କ ଫେସବୁକ୍ ସାମ୍ରାଜ୍ୟ ପ୍ରତି ବିପଦ ସୃଷ୍ଟି ହୋଇଛି। ଆମେରିକାର ୪୮ଟି ରାଜ୍ୟ ଫେସ୍‌ବୁକ୍‌ ନାମରେ ମିଳିତ ମକଦ୍ଦମା ରୁଜୁ କରିଛନ୍ତି। କେବଳେ ସେତିକି ନୁହେଁ ଫେଡେରାଲ୍ ଟ୍ରେଡ୍ କମିସନ ମଧ୍ୟ ଫେସବୁକ୍‌କୁ ବିରୋଧ କରି ମକଦ୍ଦମା କରିଛି। ଫେସବୁକ୍ ନିଜ କ୍ଷମତାର ଅପବ୍ୟବହାର କରି ଏକଚାଟିଆ ଭାବେ କାରବାର କରୁଥିବା ବେ‌ଳେ ଛୋଟ ସଂସ୍ଥାଗୁଡ଼ିକୁ ଦଳିମକଚି ଦେଉଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।

ଏଭଳି ଏକ ସମୟରେ ଆମେରିକାର ସବୁ ରାଜ୍ୟ ଏକଜୁଟ ହେବା ଫେସବୁକ୍‌ ପାଇଁ ବଡ଼ ବିପଦ ସୃଷ୍ଟି କରିଛି। ଦରକାର ପଡ଼ିଲେ ଫେସବୁକ୍‌ ଏହାର ସବୁଠୁ ଲୋକପ୍ରିୟ ସେବା ହ୍ବାଟସ୍‌ଆପ୍ ଓ ଇନଷ୍ଟାଗ୍ରାମ୍‌କୁ ବିକ୍ରି କରିବାକୁ ବାଧ୍ୟ ହୋଇପାରେ ବୋଲି କୁହାଯାଉଛି। ଆମେରିକାର ରାଜ୍ୟଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ନିଜ ଏକଚାଟିଆ କ୍ଷମତା ପ୍ରତି ବିଶ୍ବର ଯେଉଁ ସଂସ୍ଥା ବିପଦ ଭାବେ ଉଭା ହେଉଛି ତାହାକୁ ଫେସବୁକ୍ କିଣିନେଉଛି।

୨୦୧୨ରେ ଏହା ୧୦୦ କୋଟି ଡଲାରରେ ଇନଷ୍ଟାଗ୍ରାମ୍ ଓ ୨୦୧୪ରେ ୧୯୦୦ କୋଟି ଡଲାରରେ ହ୍ବାଟସ୍‌ଆପ୍‌କୁ କିଣିଥିଲା। କୌଣସି କଂପାନି ବହୁତ ବଡ଼ ହେବା ପୂର୍ବରୁ ଫେସବୁକ୍‌ ତାହାକୁ ନିଜ ସହିତ ମିଶାଇ ଦେଉଛି ବୋଲି ରାଜ୍ୟଗୁଡ଼ିକ ଅଭିଯୋଗ କରିଛନ୍ତି। ଏଭଳି ପଦକ୍ଷେପ ଗ୍ରହଣ କରି ଫେସବୁକ୍ ପ୍ରତିଦ୍ବନ୍ଦ୍ବିତାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଉଛି ଏବଂ ନିଜର ଏକଚାଟିଆ କାରବାର ଜାରି ରହିଛି। ଏହା କଂପାନିର ବ୍ୟବସାୟ ରଣନୀତି ବୋଲି ଅଭିଯୋଗ ହୋଇଛି।

ଏହି ମକଦ୍ଦମାଗୁଡ଼ିକ ବିଷୟରେ ଫେସବୁକ୍‌ର ଜେନେରାଲ୍ କାଉନ୍‌‌ସେଲ୍ ଜେନିଫର ନିଉଷ୍ଟିଡ୍‌ କହିଛନ୍ତି ଯେ ସଫଳ କଂପାନିଗୁଡ଼ିକୁ ଦଣ୍ଡିତ କରିବା ଭଳି କୌଣସି ପ୍ରତିଯୋଗିତା ବିରୋଧୀ ନିୟମ ନାହିଁ। ହ୍ବାଟସ୍‌ଆପ୍‌ ଓ ଇନଷ୍ଟା‌ଗ୍ରାମ୍‌ରେ ଫେସବୁକ୍‌ ବିପୁଳ ନିବେଶ କରିବା ପରେ ସେଗୁଡ଼ିକ ବୃହତ ସଂସ୍ଥାରେ ପରିଣତ ହୋଇଛନ୍ତି ବୋଲି ସେ କହିଛନ୍ତି‌। ଗୁଗୁଲ୍ ଓ ଫେସବୁକ୍‌ ଭଳି କଂପାନିକୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବାକୁ ସେଠାକାର ନୀତି ନିର୍ଧାରକମାନେ ଦାବି କରୁଛନ୍ତି।

ଆଣ୍ଟି ଟ୍ରଷ୍ଟ ଆଇନରେ ମୋକଦ୍ଦମା ରୁଜୁ ହେବାରେ ଗୁଗଲ ପରେ ଏବେ ଫେସବୁକ୍ ଦେଶର ଦ୍ୱିତୀୟ କମ୍ପାନୀ। ଗତ ଅକ୍ଟୋବର ମାସରେ ଆମେରିକା ସଂଘୀୟ ସରକାର ଓ ୧୧ ରାଜ୍ୟ ସରକାର ଗୁଗଲ ବିରୋଧରେ ଏହି ଧାରାରେ ଅଭିଯୋଗ ଆଣିଥିଲେ। ଅନଲାଇନ ସର୍ଚ୍ଚ ଓ ବିଜ୍ଞାପନ ପ୍ରତିଯୋଗୀତା ରୋକିବା ଲାଗି ଗୁଗଲ ଉଦ୍ୟମ କରିଥିବାର ଅଭିଯୋଗ ହୋଇଥିଲା। ଗୁଗଲ ପୂର୍ବରୁ ମଧ୍ୟ ମାଇକ୍ରୋସଫ୍ଟ ବିରୋଧରେ ୧୯୯୦ ମସିହାରେ ସମାନ ମାମଲାରେ ମୋକଦ୍ଦମା ହୋଇଥିଲା। ଯାହାର ରାୟ ଗତ ଶତାବ୍ଦୀ ଶେଷରେ ଆସିଥିଲା।

Comments are closed.