Odisha Link
Bridging the Missing Links in Odisha

ମାଗଣାରେ ମିଳିବ କରୋନା ଟିକା, କେରଳ ସମେତ ୫ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ସାରା ବିଶ୍ୱର ନଜର, କେବେ ସମସ୍ତଙ୍କୁ ମିଳିବ ଟିକା। ଏଥିସହ କରୋନା ଟିକା ମାଗଣାରେ ମିଳିବ ନା ଡୋଜ ବାବଦକୁ ସରକାର କେତ ଟଙ୍କା ଆଦାୟ କରିବେ ସେନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ହେଲେ ଏହାରି ମଧ୍ୟରେ ଭାରତର ୫ ଟି ରାଜ୍ୟ ଲୋକଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

ବିହାର ନିର୍ବାଚନ ବେଳେ ପ୍ରଥମେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ କି ବିହାରରେ ବିଜେପି ଓ ଜେଡିୟୁ ସରକାର ଗଠନ କଲେ ବିହାରବାସୀଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ। ଏବେ ସେଠାରେ ବିଜେପି ଜେଡିୟୁକୁ ଲୋକମାନେ ବହୁମତ ଦେଇଥିବାରୁ ଲୋକଙ୍କୁ ମାଗଣା ଟିକା ଯୋଗାଇ ଦେବାକୁ ନିତୀଶ କହିଛନ୍ତି। ସେହିପରି କେରଳର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏହି ଟିକା ନେବା ବେଳେ କେରଳବାସୀଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ। ଯଦି କେନ୍ଦ୍ରସରକାର ଟିକା ବାବଦକୁ ଅର୍ଥ ନିଅନ୍ତି ତାହେଲେ ସେ ଅର୍ଥ କେରଳ ସରକାର ବହନ କରିବେ।

ଏଥିସହ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି ପାଲାନିସ୍ୱାମୀଙ୍କ ସରକାର ବି ତାମିଲନାଡୁରେ ସମ୍ପୁର୍ଣ୍ଣ ମାଗଣା ଟିକାକରଣ କରିବାକୁ ପ୍ରତିଶୃତି ଦେଇଛନ୍ତି। ସେହିପରି ମଧ୍ୟପ୍ରଦେଶର ମାମା ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ବି ମାଗଣା ଟିକା ଘୋଷଣା କରିଥିିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି।

ଦେଶର ୩୦ ରାଜ୍ୟ ମଧ୍ୟରୁ ୫ ଟି ରାଜ୍ୟ ମାଗଣା ଟିକା ଦେବାକୁ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଥିବା ବେଳେ ଅନ୍ୟ ରାଜ୍ୟସରକାର ମାନେ ଟିକା ଆସିବା ପୂର୍ବରୁ ଏନେଇ ଘୋଷଣା କରୁଛନ୍ତି ନା କେନ୍ଦ୍ରସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

Comments are closed.