Odisha Link
Bridging the Missing Links in Odisha

ସଂସଦ ଆକ୍ରମଣକୁ ପୁରିଲା ୧୯ ବର୍ଷ, ଆକ୍ରମଣକୁ ନେଇ ମୋଦି କହିଲେ…

ନୂଆଦିଲ୍ଲୀ: ୨୦୦୧ ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣକୁ ଆଜି ୧୯ ବର୍ଷ ପୁରିଛି। ୧୯ ବର୍ଷ ତଳେ ଲୋକସଭା ଅଧିବେଶନ ସମୟରେ ଲସ୍କର୍ -ଏ-ତୈବା ଏବଂ ଜୈଶ୍ -ଏ-ମହମ୍ମଦର ୫ଜଣିଆ ଆତ୍ମଘାତୀ ଆତଙ୍କବାଦୀ ଦଳ ଭାରତୀୟ ସଂସଦ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଗୃହ ମୁଲତବୀ ଥିଲେ ମଧ୍ୟ କେତେକ ସାଂସଦ ଏବଂ କର୍ମଚାରୀ ସଂସଦରେ ଉପସ୍ଥିତ ଥିଲେ।

ଆତଙ୍କବାଦୀମାନଙ୍କୁ ସଂସଦ ଭବନ ମଧ୍ୟକୁ ପ୍ରବେଶ କରିବାରେ ବାଧା ଦେବାକୁ ଯାଇ ଦିଲ୍ଲୀ ପୁଲିସର ୫ଜଣ ସୁରକ୍ଷା କର୍ମଚାରୀ, ସିଆର୍ ପିଏଫ୍ ର ଜଣେ ମହିଳା କନେଷ୍ଟବଳ ଏବଂ ସଂସଦ ‘ଓ୍ଵାଚ୍ ଆଣ୍ଡ୍ ଓ୍ଵାର୍ଡ’ ସେକ୍ସନ୍ ର ଦୁଇଜଣ ସୁରକ୍ଷା ସହକାରୀ ସହିଦ ହୋଇଥିଲେ। ଜଣେ ମାଳୀ ଓ ଜଣେ ଫଟୋସାମ୍ବାଦିକ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ। ସୁରକ୍ଷା କର୍ମଚାରୀଙ୍କ ସହ ଗୁଳି ବିନିମୟ କରି ୫ଜଣ ଆତଙ୍କବାଦୀ ସେହି ସମୟରେ ନିହତ ହୋଇଥିଲେ। ଏହି ଆକ୍ରମଣର ୪ଜଣ ମାଷ୍ଟର୍ ମାଇଣ୍ଡ୍‌ଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଟ୍ବିଟ୍ କରିଛନ୍ତି ଯେ ସଂସଦ ଉପରେ ହୋଇଥିବା କାପୁରୁଷ ଆକ୍ରମଣକୁ କଦାପି ଭୁଲି ପାରିବୁ ନାହିଁ। ଆକ୍ରମଣ ସମୟରେ ଜନଜୀବନ ରକ୍ଷା କରିବାକୁ ସହିଦ ହୋଇଥିବା ଯବାନମାନଙ୍କ ପ୍ରତି ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟୁଇଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ୨୦୦୧ ମସିହା ଆଜିର ଦିନରେ ଆମ ସଂସଦରେ ହୋଇଥିବା ଭୀରୁତାପୂର୍ଣ୍ଣ ଆକ୍ରମଣକୁ ଆମେ କେବେ ଭୁଲି ପାରିବୁ ନାହିଁ। ସଂସଦକୁ ସୁରକ୍ଷିତ ରଖି ଯେଉଁମାନେ ସହିଦ ହୋଇଥିଲେ ଆମେ ସେମାନଙ୍କ ଶୌର୍ଯ୍ୟ ଓ ଆତ୍ମବଳିକୁ ସ୍ମରଣ କରୁଛୁ। ଭାରତ ସର୍ବଦା ସେମାନଙ୍କ ପ୍ରତି କୃତଜ୍ଞ ରହିବ।

ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ମଧ୍ୟ ୨୦୦୧ ସଂସଦ ଭବନ ଆକ୍ରମଣରେ ସହୀଦ ହୋଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସଂସଦ ଆକ୍ରମଣର ବାର୍ଷିକୀ ଅବସରରେ ଶ୍ରୀ କୋବିନ୍ଦ ଟ୍ୱିଟ କରିଛନ୍ତି, ଆଜି ଦେଶ ୨୦୦୧ ମସିହା ସଂସଦ ଆକ୍ରମଣରେ ନିଜ ଜୀବନକୁ ଉତ୍ସର୍ଗ କରି ସଂସଦର ସୁରକ୍ଷା କରିଥିବା ଯବାନମାନଙ୍କୁ ସ୍ମରଣ କରୁଛି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ସର୍ବୋଚ୍ଚ ବଳିଦାନ ଦେଇଥିବା ଯବାନମାନଙ୍କୁ ଦେଶ ସବୁ ସମୟରେ ସ୍ମରଣ କରିବ।

Comments are closed.