Odisha Link
Bridging the Missing Links in Odisha

ପିଲା ଚୋରି ରାକେଟକୁ ନେଇ ଚର୍ଚ୍ଚାରେ ନୟାଗଡ଼, ୪୮ ଘଣ୍ଟା ବିତିଥିଲେ ବି ମିଳୁନି ୩ବର୍ଷର ସ୍ବାତୀର ପତ୍ତା

ନୟାଗଡ଼: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ଅପହରଣ ଏବଂ ହତ୍ୟା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଜିଲ୍ଲାର ରଣପୁର ଅଞ୍ଚଳରୁ ପୁଣି ଏକ ସମାନ ଅଭିଯୋଗ ସାମ୍ନାକୁ ଆସିଛି। ରଣପୁର ଥାନା ନରେନ୍ଦ୍ରପୁର ପଞ୍ଚାୟତ ବଧିପାଟଣା ଗାଁ’ର ସଞ୍ଜୟ ସାହୁ ଓ ସବିତା ସାହୁଙ୍କ ୩ ବର୍ଷର ଶିଶୁ କନ୍ୟା ହରପ୍ରିୟା ସାହୁ ଓରଫ ସ୍ୱାତୀ ଶୁକ୍ରବାର ଗାଁ’ ଦାଣ୍ଡରେ ଖେଳୁଥିବା ସମୟରେ କେହି ତାକୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ୪୮ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଶିଶୁ କନ୍ୟାଟିର କୌଣସି ପତ୍ତା ମିଳି ନାହିଁ।

ମିଳିଥିବା ସୂଚନା ମୁତାବିକ ଶୁକ୍ରବାର ଦିନ ଅପରାହ୍ଣ ୩ଟାରୁ ସ୍ୱାତୀ ନିଖୋଜ ହୋଇଛି। ଝିଅକୁ ମନେ ପକାଇ ବାହୁନି କାନ୍ଦିବା ସହ ଧାର ଧାର ଲୁହ ଗଡ଼ାଉଛନ୍ତି ତା ମା’ ସବିତା। ହରପ୍ରିୟା ନିଖୋଜ ହେବା ଘଟଣାକୁ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ପରିବାର ଲୋକଙ୍କ ଅଭିଯୋଗ ପରେ ରଣପୁର ଥାନା ଏବଂ ରାଜସୁନାଖଳା ଫାଣ୍ଡି ପୁଲିସ ମିଳିତ ଭାବେଶୁକ୍ରବାର ଅପରାହ୍ଣରୁ ଖୋଜିବା ଜାରି ରଖିଛନ୍ତି।

ଶନିବାର ସକାଳୁ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ପୋଖରୀ, କୂଅ ଏବଂ ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ତନ୍ନ ତନ୍ନ କରି ଖୋଜିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ଶନିବାର ସନ୍ଧ୍ୟାରେ ନୟାଗଡ଼ ଏସ୍‌ପି ପ୍ରତ୍ୟୁଷା ଦିବାକର ଓ ଏଏସ୍‌ପି ଉମାକାନ୍ତ ମଲ୍ଲିକ ହରପ୍ରିୟାର ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିଳମ୍ବିତ ରାତିରେ ସନ୍ଧାନୀ କୁକୁର ଦ୍ୱାରା ଅନୁସନ୍ଧାନ କରାଯାଇଥିଲା।

ଗଣମାଧ୍ୟମକୁ ସ୍ୱାତୀର ମା’ଙ୍କ କହିଛନ୍ତି, ଗାଁ’କୁ ଜଣେ ଫେରିବାଲା କମ୍ବଳ ବିକିବାକୁ ଆସିଥିଲା। ଏହି ଫେରିବାଲା ସ୍ୱାତୀକୁ ଅପହରଣ କରି ନେଇଥିବା ସେ ସନ୍ଦେହ କରୁଛନ୍ତି। ଅନ୍ୟପକ୍ଷରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ହରପ୍ରିିୟାର ଶୋକସନ୍ତପ୍ତ ପରିବାରକୁ ଭେଟି ସାନ୍ତ୍ୱନା ଜଣାଇଥିଲେ। ରଣପୁରର ପୂର୍ବତନ ବିଧାୟିକା ସୁରମା ପାଢ଼ୀ ମଧ୍ୟ ହରପ୍ରିୟାଙ୍କ ପରିବାବର୍ଗଙ୍କୁ ଭେଟି ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ।

Comments are closed.