Odisha Link
Bridging the Missing Links in Odisha

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା, ୪ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଓଟିଭି କର୍ମଚାରୀ ଅନିରୁଦ୍ଧ ପଣ୍ଡା, କୃଷ୍ଣ ବେହେରାଙ୍କ ସମେତ ୨ ସିକ୍ୟୁରିଟି ଗାର୍ଡ ସାମଲ ଓ ବିଜୟ ରାଉତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ପୁରୀ ଗୋପ ଅଞ୍ଚଳରୁ ଅନିରୁଦ୍ଧଙ୍କୁ ଗିରଫ କରିଥିବା ସୋମବାର ସକାଳେ ଜଣାପଡିଛି। ଉଲ୍ଲେଖଯୋଗ୍ୟ, ୧୬ ତାରିଖ ସୁଦ୍ଧା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହି ମାମଲାରେ ପୋଲିସର ଶିଥିଳ ତଦନ୍ତ ନେଇ ଭତ୍ସନା କରିଥିଲେ କୋର୍ଟ। ପୋଲିସ ଡିଜି ଅଭୟ ହାଇକୋର୍ଟଙ୍କ ଆଗରେ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବା ସହ ଅତିରିକ୍ତ ଡିଜି ମାମଲାର ଅଗ୍ରଗତି ନେଇ ଜଉମୁଦ ଲଫାପାରେ ସତ୍ୟପାଠ ଦାଖଲ କରିଥିଲେ। ତେବେ ଅବଧି ସରିବା ପୂର୍ବରୁ ୪ ଅଭିଯୁକ୍ତଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ। ଅକ୍ଟୋବର ୬ ତାରିଖ ଠାରୁ ଏହି ମାମଲା ଓଡିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କ୍ରାଇମବ୍ରାଞ୍ଚ ଏହି ତଦନ୍ତ ପାଇଁ ଅଧିକ ଦିନ ସମୟ ଦେବାକୁ ସତ୍ୟପାଠରେ ପ୍ରାର୍ଥନା କରିଥିଲା।

ସତ୍ୟପାଠରେ ଉଲ୍ଲେଖ କରାଯାଇଥିଲା ଯେ, କ୍ରାଇମବ୍ରାଞ୍ଚର ଜଣେ ଏସପିଙ୍କୁ ତଦନ୍ତଭାର ଦିଆଯାଇଛି ଓ ୪ ଜଣ ଇନ୍ସପେକ୍ଟର ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି। ଅଭିଯୁକ୍ତ ମାନଙ୍କୁ ପଚରାଉଚାରା କରାଯାଇଛି ଏବଂ ବୟାନ ମଧ୍ୟ ରେକର୍ଡ ହୋଇଛି। ସେମାନଙ୍କ ପଲିଗ୍ରାଫ୍ପରୀକ୍ଷା ମଧ୍ୟ ହୋଇଛି। ଗତ ମାର୍ଚ୍ଚ, ଏପ୍ରିଲ ମାସ ମଧ୍ୟରେ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ପୀଡ଼ିତାଙ୍କ ମାଆ ପୂର୍ବତନ ଓଟିଭି କର୍ମଚାରୀ । ଗଣଦୁଷ୍କର୍ମ ଘଟଣାରେ ୪ଜଣ ଓଟିଭି କର୍ମଚାରୀଙ୍କ ସଂପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା। ଅଗଷ୍ଟ ୩୦ରେ ଏନେଇ ଲିଖିତ ଏତଲା ଦେଇଥିଲେ ପୀଡ଼ିତାଙ୍କ ମାଆ।

Comments are closed.