Odisha Link
Bridging the Missing Links in Odisha

ଆରମ୍ଭ ହେଲା ୨୪ ଘଣ୍ଟିଆ RTGS ସୁବିଧା

ନୂଆଦିଲ୍ଲୀ: ଏଣିକି ସପ୍ତାହର ୭ ଦିନ ଯାକ ୨୪ ଘଣ୍ଟିଆ ରିଅଲ ଟାଇମ୍‌ ଗ୍ରସ୍‌ ସେଟେଲ୍‌ମେଣ୍ଟ(ଆର୍‌ଟିଜିଏସ୍‌) ଜରିଆରେ ଫଣ୍ଡ ଟ୍ରାନ୍ସଫର ସୁବିଧା ମିଳିବ। ଡିସେମ୍ବର ୧୪ ରାତି ସାଢ଼େ ୧୨ଟାରୁ ଚବିଶ ଘଣ୍ଟା ଉପଲବ୍ଧ ହୋଇଛି। ଏନେଇ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଏହା ସହିତ ବିଶ୍ବର କିଛି ହାତଗଣତି ଦେଶର ତାଲିକାରେ ଭାରତର ନାମ ଯୋଡ଼ି ହୋଇଛି। ଆର୍‌ଟିଜିଏସ୍‌ ସୁବିଧା ୨୪ ଘଣ୍ଟା ଉପଲବ୍ଧ ହେବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ଗତ ଅକ୍ଟୋବରରେ ଘୋଷଣା କରାଯାଇଥିଲା। ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଉଥିବାରୁ ଶ୍ରୀ ଦାସ ରିଜର୍ଭ ବ୍ୟାଙ୍କ, ଆଇଏଫ୍‌ଟିଏଏସ୍‌ ଓ ଅନ୍ୟ ସେବା ପ୍ରଦାନକାରୀ ସହଯୋଗୀଙ୍କ ଟିମ୍‌କୁ ଧନ୍ୟବାଦ ଦେଇଛନ୍ତି।

ଦେଶରେ ପ୍ରଥମା ଆର୍‌ଟିଜିଏସ୍‌ ସେବା‌କୁ ୨୦୦୪ ମାର୍ଚ୍ଚ ୨୬ରେ ଆରମ୍ଭ କରାଯାଇଥିଲା। ସେହି ସମୟରେ ମାତ୍ର ଚାରିଟି ବ୍ୟାଙ୍କକୁ ନେଇ ଏହା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ବ୍ୟବସ୍ଥା ସହ ୨୩୭ଟି ବ୍ୟାଙ୍କ ଯୋଡ଼ି ହୋଇଥିବା ବେଳେ ଦୈନିକ ୪.୧୭ ଲକ୍ଷ କୋଟି ଟଙ୍କା ମୂଲ୍ୟର ୬.୩୫ ଲକ୍ଷ କାରବାର ହେଉଛି।

ସୂଚନାଥାଉକି, ୨ ଲକ୍ଷ ଟଙ୍କାରୁ ଅଧିକ ପାଣ୍ଠି ସ୍ଥାନାନ୍ତର କରିବା ପାଇଁ ଆର୍‌ଟିଜିଏସ୍‌ର ବ୍ୟବହାର କରାଯାଇଥାଏ। ଏହାଠାରୁ କମ୍‌ ଟଙ୍କା ସ୍ଥାନାନ୍ତର ପାଇଁ ନ୍ୟାସ୍‌ନାଲ ଇଲେକ୍ଟ୍ରୋନିକ୍‌ ଫଣ୍ଡ୍‌ ଟ୍ରାନ୍ସଫର(ଏନ୍‌ଇଏଫ୍‌ଟି)ର ବ୍ୟବହାର ହୋଇଥାଏ। ଏନ୍‌ଇଏଫ୍‌ଟି ବ୍ୟତୀତ ଆଇଏମ୍‌ପିଏସ୍‌ ସୁବିଧା ଉପଲବ୍ଧ ଅଛି।

Comments are closed.