Odisha Link
Bridging the Missing Links in Odisha

ଆହୁରି ବଢ଼ିବ ଶୀତ, ୧୦ ଜିଲ୍ଲାକୁ ଘନ କୁହୁଡି ପାଇଁ ଆଲର୍ଟ

ଭୁବନେଶ୍ୱର: ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବାରୁ ଏବେ ଶୀତ କମିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ଏବେ ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ଅନ୍ୟପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳୁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁଚାପ ବଳୟ ପାଇଁ ଉପକୂଳ ଓଡ଼ିଶାର କିଛି ଜିଲ୍ଲାକୁ ଘନ କୁହୁଡି ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ବୌଦ୍ଧ ଆଦି ଜିଲ୍ଲାରେ ଘନ କୁହୁଡି ଅନୁଭୁତ ହେବ। ଏହି ଜିଲ୍ଲା ଗୁଡିକରେ ଦୃଶ୍ୟମାନ କ୍ଷମତା ୨ଶହ ମିଟରରୁ କମ୍ ରହିବ। ଦୁର୍ଘଟଣା ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡିକୁ ମଧ୍ୟ ୟେଲୋ ଆଲର୍ଟ ଜାରି କରିବା ସହ ସତର୍କ ରହିବା ପାଇଁ ପରିବହନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

୧୬ ତାରିଖ ଆଡ଼କୁ ଉପାନ୍ତ ଉତ୍ତର-ପଶ୍ଚିମ ଜିଲ୍ଲାଗୁଡ଼ିକରେ ସ୍ବଳ୍ପ ବର୍ଷା ହୋଇପାରେ। ଅବଶିଷ୍ଟ ଅଞ୍ଚଳର ପାଗ କୋହଲା ରହିବ। ଫଳରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବ। ୧୮ ତାରିଖ ଆଡ଼କୁ ପୁଣି ରାଜ୍ୟର ସର୍ବନିମ୍ନ ତାପମାତ୍ରା ଖସିବ। ୧୯ ତାରିଖ ସୁଦ୍ଧା ରାତ୍ରି ତାପମାତ୍ରା ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ ଓ ରାଜ୍ୟରେ ଶୀତ ଆରମ୍ଭ ହୋଇଯିବ ବୋଲି କେନ୍ଦ୍ର କହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଅଧିକ ରହିଛି। ରାଜ୍ୟ ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୧୨ ଡିଗ୍ରି ରେକର୍ଡ ହୋଇଛି। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ୧୬ ତାରିଖ ଉପାନ୍ତ ଉତ୍ତର-ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକ ଯଥା, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଆଦି ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବ। ଅବଶିଷ୍ଟ ଜିଲ୍ଲାରେ ପାଗ ଶୁଖିଲା ଓ କୋହଲା ରହିବ।

ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ସୁନ୍ଦରଗଡ଼, ବୌଦ୍ଧ ଆଦି ଜିଲ୍ଲାରେ ଆଜି ହାଲ୍କାରୁ ମଧ୍ୟମଧରଣର ବର୍ଷା ହେବ। ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଏହା ପରେ ୪ ଡିଗ୍ରି ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନର ତାପମାତ୍ରା ହ୍ରାସ ପାଇବ। ୧୮ ଓ ୧୯ ତାରିଖ ଆଡ଼କୁ ରାଜ୍ୟର ପାରଦ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ। ଭୁବନେଶ୍ବରର ତାପମାତ୍ରା ଆଜି ବି ୧୯ ଡିଗ୍ରି ପାଖାପାଖି ରହିବ ବୋଲି କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି।

Comments are closed.