Odisha Link
Bridging the Missing Links in Odisha

ମା’ଙ୍କ ଶେଷଇଛା କଲେ ପୂରଣ, ଜଗନ୍ନାଥଙ୍କୁ ଦାନ କଲେ କୋଟି ଟଙ୍କାର କୋଠା

ନବରଙ୍ଗପୁର: ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ପର ପାଲଟି ଯାଉଥିବା ବେଳେ ନବରଙ୍ଗପୁରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଏଠି ସମ୍ପର୍କ ସନ୍ତାନ, ପରିବାର ସହ ନୁହେଁ, ବରଂ ସମ୍ପର୍କ ଗଢି ଉଠିଛି ମହାପ୍ରଭୁ ଜଗନ୍ନାଥଙ୍କ ସହ।

ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ପୁଅ ବୋଲି ଭାବି ନିଜର ତିନି ମହଲା କୋଠା ପୁଅକୁ ଦେବାକୁ ଚାହୁଁଥିଲେ। ଆଉ ତାଙ୍କ ଦେହାନ୍ତ ପରେ ତାଙ୍କର ଏହି ଇଚ୍ଛାକୁ ପୂରଣ କରିଛନ୍ତି ତିନି ଝିଅ। ମା’ଙ୍କ ଶେଷ ଇଚ୍ଛା ପାଇଁ କୋଟିଏ ଟଙ୍କାର କୋଠା ଜଗନ୍ନାଥକୁ ଦାନ କରି ଦେଇଛନ୍ତି।

ନବରଙ୍ଗପୁର ସହର ଭଗବତୀ ସାହିର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଭବାନୀ ସାହୁ। ଭବାନୀଙ୍କର ପତ୍ନୀ ବୈଜନ୍ତିମାଳା ତିନି ଝିଅଙ୍କୁ ବାହା ଦେଇ ସାରିଛନ୍ତି। କିଛିଦିନ ତଳେ କର୍କଟ ରୋଗରେ ପୀଡିତ ହୋଇଥିଲେ ବୈଜୟନ୍ତି। ନିଜର ପୁଅ ନ ଥିବାରୁ ସେ ଜଗନ୍ନାଥ ପ୍ରଭୁଙ୍କୁ ପୁଅ ବୋଲି ଭାବୁଥିଲେ। କର୍କଟରୋଗରେ ଆକ୍ରାନ୍ତ ହେବା ପରେ ନବରଙ୍ଗପୁର ସହର ମଧ୍ୟରେ ଥିବା ଭଗବତୀ ସାହି ସ୍ଥିତ ୨୫ ବଖରା ବିଶିଷ୍ଟ ୩ ମହଲା କୋଠାଘରକୁ ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିବାକୁ ମନସ୍ଥ କରି ପରିବାର ଲୋକଙ୍କୁ ଜଣାଇଥିଲେ। ମୃତ୍ୟୁ ମୁଖରେ ଥିବା ସହ ତାଙ୍କର ଶେଷଇଛାକୁ ତିନିଝିଅ ପୁଷ୍ପାଞ୍ଜଳି, ଗୀତାଞ୍ଜଳି, ଶ୍ରଦ୍ଧାଞ୍ଜଳି ଓ ସ୍ୱାମୀ ଭବାନୀ ହୃଦୟର ସହ ସ୍ୱାଗତ କରିଥିଲେ।

ନବରଙ୍ଗପୁର ସ୍ଥିତ ଜଗନ୍ନାଥ ମନ୍ଦିର କମିଟିକୁ ଯୋଗାଯୋଗ କରିଥିଲେ। ଗତମାସ (ନଭେମ୍ବର ) ୨୭ ତାରିଖରେ ମାଜିଷ୍ଟ୍ରେଟ, ଜଗନ୍ନାଥ ମନ୍ଦିର କମିଟି ଓ ପରିବାରର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଏହି ମୂଲ୍ୟବାନ କୋଠାକୁ ଦାନ କରିଥିଲେ। ଏହି କୋଠାର ଆନୁମାନିକ ମୂଲ୍ୟ ବର୍ତ୍ତମାନ ସମୟରେ ଏକ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ। ୨୫ ବଖରା ବିଶିଷ୍ଠ କୋଠାଘରେ ୯ଟି ପରିବାର ଭଡାସୂତ୍ରରେ ରହିପାରିବେ। ଏହାକୁ ଭଡା ଦେଇ ଯାହା ଅର୍ଥ ଆସିବ ସେଥିରେ ପ୍ରଭୁଜଗନ୍ନାଥଙ୍କ ପ୍ରତିଦିନର ନୀତିକାନ୍ତିରେ ଖର୍ଚ୍ଚ କରାଯିବ ବୋଲି କହିଛନ୍ତି ରାଜ ପୁରୋହିତ। ଅନ୍ୟପଟେ ବୈଜୟନ୍ତିମାଳାଙ୍କ ଏହି ନିଷ୍ପତ୍ତିକୁ ନବରଙ୍ଗପୁରବାସୀ ସ୍ୱାଗତ ଜଣାଇଛନ୍ତି।

Comments are closed.