Odisha Link
Bridging the Missing Links in Odisha

୧୮ ତମ Golden Foot Award ଜିଣିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ

ନୂଆଦିଲ୍ଲୀ: ଫୁଟବଲ ଜଗତର ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ଆଉ ଏକ ସଫଳତା। ସେ ଫୁଟବଲ ଦୁନିଆର ସମ୍ମାନଜନକ ଗୋଲଡେନ୍‌ ଫୁଟ୍‌ ୨୦୨୦ ଆଓ୍ବାର୍ଡର ଅଧିକାରୀ ହୋଇଛନ୍ତି। ଫୁଟବଲ ମଇଦାନରେ ଭଲ ପ୍ରଦର୍ଶନ ଓ ଉତ୍ତମ ସ୍ବଭାବ ପାଇଁ ସେ ଏହି ଆଓ୍ବାର୍ଡର ଅଧିକାରୀ ହୋଇଛନ୍ତି। ସେ ୧୮ ତମ ଖେଳାଳି ଭାବେ ଏହି ଆଓ୍ବାର୍ଡର ବିଜେତା ହୋଇଛନ୍ତି। ସୂଚନାଥାଉକି, ପ୍ରଥମଥର ପାଇଁ ୨୦୦୩ ମସିହାରେ ଏହି ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।

ରୋନାଲ୍ଡୋ UEFA ଚାମ୍ପିଆନ୍‌ ଲିଗରେ ଦମଦାର ପ୍ରଦର୍ଶନ କରି ଗ୍ରୁପ୍‌-ଜିରେ ଜୁଭେନଟସ୍‌ ଦଳକୁ ଟପରେ ପହଁଞ୍ଚାଇଥିଲେ। ସେ ୪୪ଟି ମ୍ୟାଚ୍‌ ଖେଳି ୪୪ଟି ଗୋଲ କରି ଦଳକୁ ଚମ୍ପିଆନ୍‌ କରିଥିଲେ। ଏହାପରେ ଗୋଲଡେନ୍‌ ଫୁଟ୍‌ ଆଓ୍ବାର୍ଡ ପାଇଁ ରୋନାଲ୍ଡୋଙ୍କ ସପକ୍ଷରେ ଭୋଟ୍‌ ଦେଇଥିଲେ ବିଶ୍ବବାସୀ। ଏହି ପୁରସ୍କାର ପାଇବା ପରେ ଟ୍ବିଟ୍‌ କରି ନିଜର ସମସ୍ତ ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଷ୍ଟାର ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ନିକଟରେ ପାର୍ମା ବିପକ୍ଷରେ ଗୋଲ୍‌ ସ୍କୋର କରି ଓମାର ସିଭୋରିଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି ରୋନାଲ୍ଡୋ।

ଗୋଲଡେନ୍‌ ଫୁଟ୍‌ ଆଓ୍ବାର୍ଡ ହେଉଛି ଏକ ଅନ୍ତର୍ଜାତୀୟ ପୁରସ୍କାର। ଏହି ପୁରସ୍କାର ସେହି ଖେଳାଳି ମାନଙ୍କୁ ଦିଆଯାଇଥାଏ ଯେଉଁ ମାନେ ଖେଳରେ ସଫଳ ପ୍ରଦର୍ଶନ କରିବା ସହ ମଇଦାନରେ ଭଲ ସ୍ବଭାବ ପ୍ରଦର୍ଶନ କରିଥାନ୍ତି। ଏହି ପୁରସ୍କାର କେବଳ ଜଣେ ସକ୍ରିୟ ଖେଳାଳିଙ୍କୁ ମିଳିଥାଏ ଯାହାଙ୍କ ବୟସ ଅତି କମରେ ୨୮ ବର୍ଷ ହୋଇଥିବା ଆବଶ୍ୟକ। ଗୋଲ୍ଡେନ୍‌ ଫୁଟ୍‌ ଆଓ୍ବାର୍ଡ କେବଳ ଜଣେ ଖେଳାଳିଙ୍କୁ ଥରୁଟିଏ ମିଳିଥାଏ।

Comments are closed.