Odisha Link
Bridging the Missing Links in Odisha

ଭାରତରେ କରୋନା ନୂଆ ଷ୍ଟ୍ରେନ୍ ପ୍ରବେଶ ଆଶଙ୍କା, ୫ ବ୍ରିଟେନ ଫେରନ୍ତା ଆକ୍ରାନ୍ତ

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ୍ ଭାରତରେ ଆତଙ୍କ ସୃଷ୍ଟି କରିବାରେ ଲାଗିଛି। ଯଦିଓ ଏଯାଏ ଭାରତରେ ବିଧିବଦ୍ଧ ଭାବେ କରୋନାର ନୂଆ ଷ୍ଟ୍ରେନ ସଂକ୍ରମିତ ହୋଇଥିବା ନେଇ ଘୋଷଣା କରାଯାଇ ନାହିଁ। କିନ୍ତୁ ବ୍ରିଟେନରୁ ଫେରିଥିବା ଜଣଙ୍କ ପରେ ଜଣେ କରୋନାରେ ଆକ୍ରାନ୍ତ ହେବାରେ ଲାଗିଛନ୍ତି। ଏହି କାରଣରୁ ଭାରତରେ କରୋନାର ନୂଆ ଷ୍ଟ୍ରେନ ପ୍ରବେଶ କରି ସାରିଥିବା ଆଶଙ୍କା କରାଯାଉଛି।

ସୋମବାର ରାତିରେ ଲଣ୍ଡନରୁ ଦିଲ୍ଲୀ ଆସିଥିବା ୨୬୬ ଜଣ ଯାତ୍ରୀଙ୍କ ମଧ୍ୟରୁ ଏଯାଏଁ ୫ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଅନ୍ୟମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏମାନେ ସମସ୍ତେ ଏୟାର ଇଣ୍ଡିଆର ବିମାନରେ ସୋମବାର ରାତି ୧୦.୪୦ରେ ଦିଲ୍ଲୀରେ ପହଞ୍ଚିଥିଲେ।ବିମାନରେ ଥିବା ଅନ୍ୟମାନଙ୍କୁ ଆଇସୋଲେସନରେ ରହିବାକୁ କୁହାଯାଇଛି। ସେହିପରି ୫ ଜଣ କରୋନା ଆକ୍ରାନ୍ତ ନୂଆ ଷ୍ଟ୍ରେନ ନା ପୂରା ଷ୍ଟ୍ରେନରେ ସଂକ୍ରମିତ ହୋଇଛନ୍ତି, ତା’ର ପରୀକ୍ଷା ମଧ୍ୟ କରାଯାଉଛି। ଏଥିପାଇଁ ସମସ୍ତଙ୍କର ନମୁନା ନ୍ୟାଶନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲକୁ ଗବେଷଣା ପାଇଁ ପଠାଯାଇଛି। ସେଠାରୁ ଏହାକୁ କେୟାର ସେଣ୍ଟରକୁ ପଠାଯିବ।

ଆଜି ସକାଳୁ ବ୍ରିଟିଶ ଏୟାରୱେଜ୍‌ରେ ଗୋଟିଏ ବିମାନ ଦିଲ୍ଲୀରେ ପହଞ୍ଚିଛି। ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର କରୋନା ଟେଷ୍ଟ ହେବ ବୋଲି କୁହାଯାଇଛି। ଏହାପୂର୍ବରୁ ଚେନ୍ନାଇରେ ଜଣେ ବ୍ରିଟେନ ଫେରନ୍ତା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ।

ଆଜି ରାତି ୧୨ଟାରୁ ଡିସେମ୍ବର ୩୧ ଯାଏ ଭାରତ ସରକାର ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। କେବଳ ଭାରତ ନୁହେଁ, ଏକାଧିକ ରାଷ୍ଟ୍ର ମଧ୍ୟ କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ବ୍ରିଟେନକୁ ବିମାନ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.