Odisha Link
Bridging the Missing Links in Odisha

ବଦନାମ ହେଉଛି ଛେନା ପୋଡ଼ର ଜନ୍ମମାଟି, ଶହେ ଟଙ୍କାରେ ମିଳୁଛି ନକଲି ପୋଡ଼ !

ନୟାଗଡ଼: ରାଜ୍ୟରେ ଏବେ ସବୁଠୁ ଚର୍ଚ୍ଚିତ ଖବର ହେଉଛି ନକଲି ଖାଦ୍ୟ ପଦାର୍ଥ ଓ ସାମଗ୍ରୀ ବିକ୍ରି। ନିକଟରେ ଲଗାତାର ଭାବେ କଟକରେ ନକଲି ଖାଦ୍ୟ ପଦାର୍ଥ ସାମଗ୍ରୀ ବିକ୍ରି ହେଉଥିବା ଖବର ସାମ୍ନାକୁ ଆସିଥିଲା। ଯାହାକୁ ନେଇ ଗ୍ରାହକ ଦ୍ବନ୍ଦରେ। ଏପରିକି ନକଲି ଖାଦ୍ୟ ପଦାର୍ଥ ବିକ୍ରି କେବଳ କଟକରେ ନୁହେଁ ଏହା ସାରା ରାଜ୍ୟରେ ଚାଲିଛି। ଏବେ ନକଲି ଛେନା ପୋଡ଼କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଏପରିକି ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ଛେନା ପୋଡ଼ର ଦେଶ ତଥା ଜନ୍ମମାଟି ଭାବେ ପରିଚୟ ଲାଭ କରିଥିବା ନୟାଗଡ଼ ଜିଲ୍ଲା ଏବେ ନକଲି ଛେନାପୋଡ଼ ପାଇଁ ବଦନାମ ହେଉଛି । ନୟାଗଡ଼ ମୁଖ୍ୟ ଟ୍ରାଫିକ ଛକଠାରୁ ଆରମ୍ଭ କରି ମାଛିପଡ଼ା, ଭାପୁର ବ୍ଲକର ଫତେଗଡ଼ ଆଦି ସ୍ଥାନରେ ଏହି ନକଲି ଛେନାପୋଡ଼ କାୟା ମେଲାଇଛି । କେଜିକୁ ଶହେ ଟଙ୍କାରେ ଛେନାପୋଡ଼ ମିଳୁଥିବା ବେଳେ କିଭଳି ଏହାକୁ ବ୍ୟବସାୟୀ ଏତେ ଶସ୍ତାରେ ବିକ୍ରି କରୁଛି, ତାକୁ ନେଇ କେହି ଚିନ୍ତା କରୁ ନାହାନ୍ତି । ଜିଲ୍ଲା ବାହାରୁ ଆସୁଥିବା ପର୍ଯ୍ୟଟକ ତଥା ଅତିଥିଙ୍କ ଏହି ନକଲି ଛେନାପୋଡ଼ ଅସଲି ବୋଲି ବିକ୍ରି କରାଯାଉଥିବା ବେଳେ ସମସ୍ତେ ଜାଣି ଅଜଣା ସାଜିଛନ୍ତି ।

ଛେନା କେଜିକୁ ୧୫୦ରୁ ଆରମ୍ଭ ହୋଇ ୧୮୦ ପର୍ଯ୍ୟନ୍ତ ଦର ରହିଥିବା ବେଳେ ଛେନାପୋଡ଼ କେଜି ୧୦୦ରୁ ଆରମ୍ଭ କରି ୨୮୦ ଟଙ୍କା ପର୍ଯ୍ୟନ୍ତ ରହିଛି। ନୟାଗଡ଼ ମୁଖ୍ୟ ଟ୍ରାଫିକ ଛକରେ ପ୍ରତ୍ୟେକ ଦିନ ଶହ ଶହ କ୍ୟୁଣ୍ଟାଲ ଛେନାପୋଡ଼ ବିକ୍ରି ହେଉଥିବା ବେଳେ ଭାପୁର ବ୍ଲକ ଫତେଗଡ଼ଠାରେ ପ୍ରତ୍ୟେକ ଦିନ ଏକ ଟନ୍‌ରୁ ଉଦ୍ଧ୍ୱର୍ ଛେନାପୋଡ଼ ବିକ୍ରି ହେଉଛି। ମିଠା ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଏହି ଛେନାପୋଡ ବର୍ତ୍ତମାନ ନୟାଗଡ଼ରୁ ପ୍ରସ୍ତୁତ ହୋଇ ପ୍ରତ୍ୟେକ ଦିନ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର, ମାଲକାନାଗିରି, ଭବାନୀପାଟଣା, ବଲାଙ୍ଗୀର , ବୌଦ୍ଧ, କେନ୍ଦୁଝର କନ୍ଧମାଳ ଛତିଶଗଡ କୋଲକାତା ଦୁର୍ଗାପୁର, ରାୟପୁର ପ୍ରଭୃତି ସ୍ଥାନକୁ ଦୂରଗାମୀ ବସ୍‌ ଯୋଗେ ପଠାଯାଉଥିଲା। ନୟାଗଡ଼ ଏବଂ ଏହାର ଆଖପାଖ ଗ୍ରାମ ତଥା ମାଛିପଡା, ସୋଲପଟା, ଇଟାମାଟି, ଖଣ୍ଡପଡା, ଭାପୁର ଆଦି ଅଞ୍ଚଳରେ ଛେନାପୋଡ଼ ପ୍ରସ୍ତୁତ କରାଯାଇ ଛୋଟ ଛୋଟ ଚଟକା ଡେକ୍‌ଚି ଏବଂ ପାତ୍ରରେ ପ୍ୟାକ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ପଠାଯାଇଥାଏ।

ଅସଲି ଛେନାପୋଡ଼ କେମିତି ହୋଇଥାଏ, ଜାଣନ୍ତୁ..
ଗାଇ କ୍ଷୀରରୁ ପ୍ରସ୍ତୁତ ୬୦୦ ଗ୍ରାମ ଶୁଖିଲା ଛେନା, ୩୦୦ ଗ୍ରାମ ଚିନି ଏବଂ ୧୦୦ ଗ୍ରାମ ଶୁଜିକୁ ଏକାଠି ମିଶାଇ ଚକଟା ଯାଇଥାଏ। ଏହି ଚକଟାକୁ ଏକ ଛୋଟ ଡେକ୍‌ଚିରେ ରଖାଯାଇ ଏହାର ଉପର ଭାଗକୁ ବନ୍ଦ କରି ଦିଆଯାଇଥିଲା। କାଠଚୁଲାର ରଡ଼ ନିଆଁରେ ଡେକ୍‌ଚିକୁ ବସାଇ ଦିଆଯାଏ। ଏହା ପରେ ଡେକ୍‌ଚି ଉପରି ଭାଗରେ କିଛି ରଡ଼ ନିଆଁ ରଖା ଯାଇ ଦୁଇରୁ ତିନିଘଣ୍ଟା ତାକୁ ଶିଝିବାକୁ ଛାଡ଼ି ଦିଆଯାଏ।

ହେଲେ ଏବେ ୫ଶହ ଗ୍ରାମ ସୁଜି ଏବଂ ୪୦୦ ଗ୍ରାମ ଚିନି ସହ ୧୦୦ ଗ୍ରାମ ଛେନା ଦେଇ ଛେନାପୋଡ଼ ପ୍ରସ୍ତୁତ କରାଯାଉଥିବା ଜଣେ ଛେନାପୋଡ଼ ବ୍ୟବସାୟୀ କହିଛନ୍ତି। ଏଥିରେ ବେକିଂ ପାଉଡର ତଥା ଏହାକୁ କୋମଳ କରିବା ପାଇଁ କିଛି କେମିକାଲ୍‌ ବ୍ୟବହାର କରା ଯାଉଥିବା ସେ ସୂଚନା ଦେଇଛନ୍ତି। ଏଥିରେ କେଜି ପ୍ରତି ୬୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାକୁ ଶହେ ଟଙ୍କାରେ ବିକ୍ରି କରାଯାଉଛି।

Comments are closed.