କରୋନା: ୧୦ ଦିନ ଭିତରେ ଆରମ୍ଭ ହେବ ଟିକାକରଣ

ନୂଆଦିଲ୍ଲୀ: ନୂଆ ବର୍ଷରେ ଆସିଲା ଖୁସି ଖବର। ଆଗମୀ ୧୦ ଦିନ ଭିତରେ ଆରମ୍ଭ ହୋଇପାରେ ଟିକାକରଣ। ସାରା ଦେଶରେ ଆଗାମୀ ୧୦ ଦିନ ଭିତରେ ଟିକାକରଣ କରାଯିବ। ଏନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ ସଚିବ ରାଜେଶ ଭୂଷଣ। ରାଜେଶ ଭୂଷଣ କହିଛନ୍ତି ଯେ, ଦେଶରେ ଉପଲବ୍ଧ ଟିକାଗୁଡ଼ିକ ଶରୀରରେ ଆଣ୍ଟିବଡି ବା ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବ।
ଏଣୁ ଭୁତାଣୁରେ ପରିବର୍ତ୍ତନ ଟିକାର କାର୍ଯ୍ୟକାରିତା ଉପରେ ସେପରି କିଛି ପ୍ରଭାବ ପକାଇବ ନାହିଁ। ଭାରତରେ ଅନୁମତିପ୍ରାପ୍ତ ଟିକା ଦୁଇଟି ସମ୍ପର୍କରେ ଯଥେଷ୍ଟ ତଥ୍ୟ ସରକାରଙ୍କ ପାଖରେ ରହିଛି। ସେସବୁ ତଥ୍ୟରୁ ଜଣାପଡ଼ିଛି ସେ ଏହି ଟିକାଗୁଡ଼ିକ ବେଶ ନିରାପଦ। ଏସବୁ ଟିକାଗୁଡ଼ିକର ରପ୍ତାନି ଉପରେ ମଧ୍ୟ ସରକାର କୌଣସି କଟକଣା ଲଗାଇନାହାନ୍ତି।
ଭାରତରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି। ଦେଶରେ ଏବେ ଅଢେଇ ଲକ୍ଷରୁ କମ ସଂଖ୍ୟକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୪ ପ୍ରତିଶତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ୫୬ ପ୍ରତିଶତ ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଛନ୍ତି। ମୋଟାମୋଟି ଭାବେ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ କରୋନା ମହାମାରୀର ଚାପ ହ୍ରାସ ପାଉଛି ବୋଲି ସେ କହିଛନ୍ତି।