Odisha Link
Bridging the Missing Links in Odisha

ଆଗାମୀ ୨ ମାସ ସତର୍କ ରହିବାକୁ ପଡିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସ୍ଥିତିର ଆଜି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ। ଟିକାକାରଣକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ଓଡ଼ିଶା ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ଦୋକାନ, ବଜାର, ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ ଖୋଲିଛି। ତେଣୁ ଆଗାମୀ ୨ମାସ ଆମକୁ ସତର୍କତାର ସହ ଚଳିବାକୁ ପଡିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଇଂଲଣ୍ଡ ଓ ୟୁରୋପରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି ଓ କେତେକ ଦେଶରେ ଲକଡାଉନ୍ ପୁଣି ଲାଗୁ କରାଗଲାଣି। ତେଣୁ ଆମକୁ ଅଧିକ ସତର୍କତାର ସହିତ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତଙ୍କ ସହଯୋଗରେ କୋଭିଡ୍ ସଂକ୍ରମଣକୁ ସଫଳ ଭାବେ ଏବେ ପର୍ଯ୍ୟନ୍ତ ନିୟନ୍ତ୍ରଣ କରାଯାଇ ପାରିଛି।

ଅଧିକାଂଶ ଜିଲ୍ଲା ଗ୍ରୀନ୍ ଜୋନରେ ରହିଥିବାବେଳେ ତୀବ୍ର ସଂକ୍ରମଣ ପର୍ଯ୍ୟାୟ ଅତିକ୍ରମ ହୋଇଯାଇଛୁ। ଏହି ସଫଳତା ପାଇଁ କଠିନ ପରିଶ୍ରମ କରିଥିବା ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ଆଗଧାଡ଼ିରେ ରହି କାମ କରୁଥିବା ସମସ୍ତ କୋଭିଡ୍ ଯୋଦ୍ଧାମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଉନ୍ତି। କୋଭିଡ୍ ଟୀକା ଲୋକଙ୍କ ଭିତରେ ବିପୁଳ ଆଶା ସଂଚାର କରିଛି। ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ଜୀବିକା ସୁରକ୍ଷା କରିବା ପାଇଁ ବହୁତ କିଛି କରିବାକୁ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, କୋଭିଡ୍ ନିୟନ୍ତ୍ରଣରେ ରାଜ୍ୟ ବହୁତ ଭଲ ସ୍ଥିତିରେ ରହିଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ହଜାର ମଧ୍ୟରେ ସୀମିତ ରହିଛି। ଜୀବନଜୀବିକା କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଆରୋଗ୍ୟ ହାର ଏବେ ପ୍ରାୟ ୯୯ ପ୍ରତିଶତରେ ପହଂଚିଥିବାବେଳେ ଗତକାଲିଠୁ ରାଜ୍ୟରେ କୋଭିଡରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇନାହିଁ ବୋଲି କହିଥିଲେ। ସୂଚନାଯୋଗ୍ୟ, ଗତ ଜୁନ୍ ମାସ ୩୦ତାରିଖରୁ ନିୟମିତ ଭାବେ କୋଭିଡରେ ମୃତ୍ୟୁ ହୋଇଥିବା ରିପୋର୍ଟ ଆସୁଥିଲା।

Comments are closed.