Odisha Link
Bridging the Missing Links in Odisha

କାଲି ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଡ୍ରାଏ ରନ

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୧୦ଟାରୁ ୧୨ ଟା ପର୍ଯ୍ୟନ୍ତ ରାଜ୍ୟରେ କରୋନା ଟିକାର ଡ୍ରାଏ ରନ କରାଯିବ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସବୁ ଜିଲ୍ଲା ଓ ମୁ୍ୟନିସିପାଲିଟି ଅଞ୍ଚଳରେ ଡ୍ରାଏ ରନ ହେବ। ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବି ଡ୍ରାଏ ରନ ହେବ।

ଖାଲି ସେତିକି ନୁହେଁ ଜିଲ୍ଲାର ବଡ଼ ଘରୋଇ ମେଡିକାଲ ଓ ମେଡିକାଲ ଜଲେଜରେ ମଧ୍ୟ ଡ୍ରାଏ ରନ କରାଯିବ। ଏନେଇ ସମସ୍ତ ଜିଲ୍ଲାପାଳ, ପୌରକର୍ତ୍ତୃପକ୍ଷ ଓ ସିଡିଏମଓଙ୍କୁ ଚିଠି କରାଯାଇଥିବା ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, କରୋନା ଟିକା ଆସିଲେ କିପରି କୋଲ୍ଡ ଚେନର ବ୍ୟବହାର ହେବ ସେନେଇ ରାଜ୍ୟରେ ପ୍ରସ୍ତୁତି ହୋଇଛି। ପ୍ରତି ପଏଣ୍ଟରେ ୫ ଜଣ ଭ୍ୟାକ୍ସିନେଟର ରହିବା ସହ ୨୫ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ଡମି ଟିକାକରଣ କରାଯିବ। ଏହି ମକଡ୍ରିଲ ପାଇଁ ୩ଟି କକ୍ଷ ରହିବ। ଟିକା ନେବାକୁ ଆସୁଥିବା ବ୍ୟକ୍ତିଙ୍କର ପ୍ରଥମେ ରେଜିଷ୍ଟ୍ରେସନ ଓ ପରିଚୟ ଯାଞ୍ଚ କରାଯିବ।

ଏହାପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୱେଟିଂ କକ୍ଷକୁ ନିଆଯାଇ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ପରେ ଭ୍ୟାକ୍ସିନେସନ କକ୍ଷକୁ ପଠାଯିବ। ଟିକାକରଣ ପରେ ଅବଜରଭେସନ କକ୍ଷରେ ଉକ୍ତ ବ୍ୟକ୍ତିଙ୍କୁ ୩୦ ମିନିଟ ପର୍ୟ୍ୟନ୍ତ ରଖାଯିବ, ୨ ଜଣ ସ୍ୱାସ୍ଥ୍ୟ ଅଧିକାରୀ ତାଙ୍କ ଉପରେ ନଜର ରଖିବେ। ଯଦି କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦିଏ, ତେବେ ତୁରନ୍ତ ଡାକ୍ତରଙ୍କୁ ଖବର ଦେବା ସହ ତାଙ୍କର ଚିକିତ୍ସା କରାଯିବ।

Comments are closed.