Odisha Link
Bridging the Missing Links in Odisha

ନିଲମ୍ବିତ ହେଲେ କମର୍ଦ୍ଦା ଥାନାର ଏଏସ୍‌ଆଇ

ବାଲେଶ୍ୱର: ମହଙ୍ଗା ପଡ଼ିଲା ପୋଲିସ ପାୱାରର ଅପବ୍ୟବହାର । ନିଲମ୍ବିତ ହେଲେ ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନାର ଏଏସ୍‌ଆଇ ଭକ୍ତହରି ପଟ୍ଟନାୟକ। ଅଭିଯୋଗକାରୀଙ୍କଠାରୁ ଲାଞ୍ଚ ନେବା ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ଏନେଇ ସୁଧାଂଶୁ ଶେଖର ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, କିଛି ଦିନ ତଳେ ଦୁଇ ଅଭିଯୋଗକାରୀଙ୍କ ଘଟଣାର ତଦନ୍ତ କରିବା ପାଇଁ ଏଏସଆଇ ଭକ୍ତହରି ପଟ୍ଟନାୟକ ଦୁଇ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହାର ଅଡିଓ ବି ଭାଇରାଲ ହୋଇଥିଲା। ଏହାପରେ ଅନ୍ୟ ଜଣେ ଅଭିଯୋଗକାରୀ ଥାନା ସମ୍ମୁଖରେ ଏଏସଆଇଙ୍କ ସହ କଥା ହୋଇ ଅଭିଯୋଗର ସମାଧାନ କରୁ ନ ଥିବାରୁ ନେଇଥିବା ଟଙ୍କା ଫେରାଇବା ପାଇଁ କହିଥିଲେ।

ଏହାକୁ ନେଇ ଭକ୍ତହରି ପଟ୍ଟନାୟକ ଉକ୍ତ ଅଭିଯୋଗକାରୀଙ୍କୁ ଧମକଚମକ ମଧ୍ୟ ଦେଇଥିଲେ। କିଛି ଗଣମାଧ୍ୟମ ପ୍ରତିନିଧି ଏହାର ଭିଡିଓ ଉତ୍ତୋଳନ କରୁଥିବା ବେଳେ ଏଏସଆଇ ସେମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରିଥିଲେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋରଞ୍ଜନ ସାମଲ। ତାଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏଏସଆଇ ଭକ୍ତହରି ପଟ୍ଟନାୟକଙ୍କୁ ନିଲମ୍ବିତ କରାଯାଇଛି।

Comments are closed.