Odisha Link
Bridging the Missing Links in Odisha

ବିଦାହେବେ ପ୍ରତାପ ଜେନା!

ଭୁବନେଶ୍ବର: ମାହାଙ୍ଗା ମର୍ଡର ମାମଲାକୁ ନେଇ ରାଜ୍ୟ ରାଜନୀତି ସରଗରମ। ଯାହାଫଳରେ ଅଡ଼ୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କରୁଛନ୍ତି ଟାର୍ଗେଟ । ଯାହାଫଳରେ ଜନଅସନ୍ତୋଷ ବଢିବାରେ ଲାଗିଛି। କାରଣ ଏହି ହତ୍ୟା ମାମଲାର ଏତଲାରେ ରହିଛି ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ। ମନ୍ତ୍ରୀଙ୍କ ନାଁରେ ଏପରି ସଂଗୀନ ଅଭିଯୋଗ ଆଣିଛନ୍ତି ମୃତ କୁଳମଣିଙ୍କ ପୁଅ । ଯାହା ନବୀନ ସରକାରଙ୍କୁ ଅଡ଼ୁଆରେ ପକାଇଛି।

ସୂଚନାଥାଉକି ନିକଟରେ ଆଇନ ମନ୍ତ୍ରୀଙ୍କ ବିଧାନସଭା ଅଞ୍ଚଳରେ ବିଜେପିର ବରିଷ୍ଠ ନେତା କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ହତ୍ୟା କରାଗଲା। ଏଥିରେ ସିଧା ବିଜେଡି ନେତାଙ୍କ ବିରୋଧରେ ଅଭିଯୋଗ ଉଠିଛି। ଏପରିକି ମନ୍ତ୍ରୀଙ୍କ ନାଁ ବି ଉଠିଛି। ଏହି ଅଭିଯୋଗ ହିଁ ଘଟଣାକୁ ବେଶୀ ବିବାଦୀୟ କରିଛି। ଯାହା ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଅପରପକ୍ଷେ ବିଜେପିର ଜଣେ ପରେ ଜଣେ ବଡ଼ ନେତା ମାହାଙ୍ଗା ଯାଇ ସରକାରଙ୍କୁ ଟାର୍ଗେଟ କରିଚାଲିଛନ୍ତି। ସେପଟେ ୨ ଦିନ ତଳେ କଂଗ୍ରେସ ଡିଜିପି ଅଫିସ ଘେରିଥିଲା । ଆଇନଶୃଙ୍ଖଳା ବିପର୍ଯସ୍ତ ହୋଇଥିବା ଅଭିଯୋଗରେ ହୋହଲ୍ଲା କରିଥିଲା। ବିଜେପି ବି ସେହି ରାସ୍ତାରେ ଆଗକୁ ବଢ଼ିଛି। ପୁଲିସ୍ ଡିଜିଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ହୋଇଛି । ମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କୁ ତଦନ୍ତ ପରିସରକୁ ଆଣିବାକୁ ଅଡି ବସିଥିଲା ଦଳ। ବେଶ୍ କିଛି ସମୟ ଏହି ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା। ବାଧ୍ୟ ହୋଇ ଡିଜିଙ୍କୁ ଘଟଣାର ତଦନ୍ତ ଶେଷ କରିବାକୁ ଦଶ ଦିନର ମହଲତ ନେବାକୁ ହୋଇଥିଲା। ମାହାଙ୍ଗାରେ ଯେଉଁଭଳି ଭାବେ ବୀଭତ୍ସତାର ସହ ୨ ମୁଣ୍ଡ ଗଡିଲା, ସେଥିରେ ପ୍ରତାପଙ୍କ ନାଁ ଉଠିଲା, ତେଣୁ ମନ୍ତ୍ରିମଣ୍ଡଳରୁ ସେ ବିଦା ହୁଅନ୍ତୁ ଏହା ହିଁ ବିରୋଧୀଙ୍କ ବଡ଼ ଦାବି ରହିଛି। ଯାହାଫଳରେ ମନ୍ତ୍ରୀ ପ୍ରତାପଙ୍କ ପାଇଁ ସରକାରଙ୍କ ଭାବମୂର୍ତ୍ତି ମଳିନ ହେବାରେ ଲାଗିଛି।

Comments are closed.