Odisha Link
Bridging the Missing Links in Odisha

ଲଣ୍ଡନରେ ଅଣାୟତ୍ତ କରୋନା ସଂକ୍ରମଣ, ପ୍ରତି ୩୦ ଜଣରେ ଜଣେ ହେଉଛନ୍ତି କୋଭିଡ୍‌ ସଂକ୍ରମିତ

ଲଣ୍ଡନ: ଲଣ୍ଡନରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ କିଛି ଦେଶ ବିଭିନ୍ନ କରୋନା ଟିକାର ବ୍ୟବହାରକୁ ଅନୁମତି ଦେଇଛନ୍ତି। ଯାହାକୁ ନେଇ ବିଶ୍ବବାସୀ ସାମାନ୍ୟ ଆଶ‌୍ବସ୍ତି ହୋଇଥିବା ବେଳେ ଏବେ ଲଣ୍ଡନରୁ ଆସିଛି ସାଂଘାତିକ ଖବର। ଲଣ୍ଡନର ମେୟର ସାଦିକ୍‌ ଖାନ୍‌ ଶୁକ୍ରବାର ଦିନ ବ୍ରିଟିଶ୍‌ କ୍ୟାପିଟାଲରେ କରୋନାକୁ ନେଇ ଗୁରୁତର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଯଦି ଲୋକମାନେ କୋଭିଡ କଟକଣାକୁ ନମାନି ଘର ନରୁହନ୍ତି ତେବେ ଲଣ୍ଡନରେ ଥିବା ମେଡିକାଲ ଗୁଡ଼ିକର ସ୍ଥିତି ଆଗକୁ ସାଂଘାତିକ ହେବ। କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ନେଇ ମେୟର ସାଦିକ୍‌ ଖାନ ଶୁକ୍ରବାର ଏହାକୁ ‘ମେଜର ଇନସିଡେଣ୍ଟ’ ବୋଲି ଘୋଷଣା କରିଛନ୍ତି

ଖାନ୍‌ ଦେଶବାସୀଙ୍କୁ ମଧ୍ୟ ଚେତାବନୀ ଦେଇ କହିଛନ୍ତି ଯଦି ମହାମରୀ ପ୍ରତି ସତର୍କତା ଅବଲମ୍ବନ ନକରିବେ ତେବେ କରୋନା ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିବ। ଏପରିକି ଆସନ୍ତା କିଛି ସପ୍ତାହରେ ମେଡିକାଲରେ ଆଉ ବେଡ୍‌ ଖାଲି ରହିବନି ବୋଲି ଖାନ୍‌ କହିଛନ୍ତି। ଏଥିପାଇଁ ବ୍ରିଟେନ୍‌ ସରକାରଙ୍କ ସମର୍ଥନ ଦରକାରବୋଲି ଶନ୍‌ କହିଛନ୍ତି। ଯଦି ସମସ୍ତେ କଟକଣା ମାନି ଘରେ ରହିବେ ତେବେ ସଂକ୍ରମଣକୁ ମାତ୍‌ ଦେଇ ହେବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଲଣ୍ଡନରେ କରୋନା ମହାମାରୀ ସଂକ୍ରମଣ ନିୟନ୍ତ୍ରଣ ବାହାରେ। ଯାହାଫଳରେ ଜଟିଳ ପରିସ୍ଥିତି ଉଭା ହେଉଛି। ପ୍ରତି ୩୦ ଜଣ ଲଣ୍ଡନବାସୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି। ଏଥିରୁ ଅନୁମାନ କରି ହେଉଛି ଲଣ୍ଡନରେ କୋଭିଡ ସଂକ୍ରମଣ କେତେ ସାଂଘାତିକ ବୋଲି ଖାନ୍‌ କହିଛନ୍ତି।

ଆହୁରି ସେ କହିଛନ୍ତି ଯେ, ଯଦି ଖୁବଶ୍ରୀଘ୍ର ସରକାର କିଛି ବଡ଼ ପଦକ୍ଷେପ ନଗ୍ରହଣ କରନ୍ତି ତେବେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିବ। ସୂଚନାଥାଉକି, ଲଣ୍ଡନରେ ପ୍ରତି ଏକ ଲକ୍ଷ ଲୋକଙ୍କ ମଧ୍ୟଧରୁ ୧୦୦୦ ଜଣ କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି। ଡିସେମ୍ବର ୩୦ରୁ ଜାନୁଆରୀ ୬ ମଧ୍ୟରେ ଲଣ୍ଡନର ମେଡିକାଲ ଗୁଡ଼ିକରେ ୨୭ ପ୍ରତିଶତ ଅଧିକ କୋଭିଡ ରୋଗୀ ଚିହ୍ନଟ ହୋଇଛନ୍ତି। ବିଗତ ୩ଦିନ ମଧ୍ୟରେ ୪୭୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଯେଉଁମାନେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି।

Comments are closed.