ଜାନୁଆରୀ ୩୧ରୁ ପୋଲିଓ ଟିକା କାର୍ଯ୍ୟକ୍ରମ ଆରମ୍ଭ

ନୂଆଦିଲ୍ଲୀ: ପୋଲିଓ ଟିକାକରଣ ଅଭିଯାନ ଜାନୁଆରୀ ୩୧ ତାରିଖରୁ ଆରମ୍ଭ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୭ ତାରିଖରେ ପୋଲିଓ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଥିଲା। ମାତ୍ର ୧୬ ତାରିଖରୁ କୋଭିଡ୍ ଟିକା ଅଭିଯାନ ଆରମ୍ଭ ହେଉଥିବାରୁ ବୁଧବାର ଦିନ କେନ୍ଦ୍ରସରକାର ପୋଲିଓ ଟିକାକରଣ ଉପରେ ରୋକ୍ ଲଗାଇଥିଲେ।
ତେବେ ପୋଲିଓ ଟିକା ପାଇଁ ପୁଣି ତାରିଖ ଘୋଷଣା କରାଯାଇଛି। ଜାନୁଆରୀ ୩୦ ତାରିଖ ପୂର୍ବାହ୍ନ ୧୧.୪୫ ମିନିଟରେ ରାଷ୍ଟ୍ରପତିଙ୍କ ଭବନ ପରିସରରେ କେତକ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ। ଏହା ପରେ ଜାନୁଆରୀ ୩୧ ତାରିଖ ଦିନ ସାରା ଦେଶରେ ୫ ବର୍ଷରୁ କମ୍ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବ।