Odisha Link
Bridging the Missing Links in Odisha

ତିନି ‘ସ’ ଦ୍ୱାରା ୨୦୩୬ରେ ନୂଆ ଓଡ଼ିଶା ନିର୍ମାଣ କରିବା: ଧର୍ମେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱର ଠାରେ ସମ୍ବାଦର ‘ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍‌ ଇଣ୍ଡିଆ’ର ଚତୁର୍ଥ ସଂସ୍କରଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡ଼ିଶାର ଉନ୍ନତି ପାଇଁ ଥିବା ତିନି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ଉପରେ ଦୃଷ୍ଟି ଆକର୍ଷଣ କରିବା ତଥା ବ୍ୟବସ୍ଥା ତିଆରି କରିବା ପାଇଁ କେବଳ ସରକାର ନୁହେଁ ସମାଜକୁ ମଧ୍ୟ ଦାୟିତ୍ୱ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏହି ତିନି ‘ସ’ ସମସ୍ୟା, ସମ୍ଭାବନା ଓ ସମାଧାନ ଦ୍ୱାରା ୨୦୩୬ରେ ନୂଆ ଓଡିଶା ନିର୍ମାଣ କରିପାରିବା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେହିପରି ଓଡିଶାର ପ୍ରତିଷ୍ଠିତ ଖବର କାଗଜ ସମ୍ବାଦ ବର୍ତମାନ ସମୟରେ ବ୍ୟବସାୟୀ ଜଗତକୁ ପ୍ରୋତ୍ସାହନ ଦେବା ପାଇଁ ଏପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସାଧୁବାଦ ଜଣାଇବା ସହ ସମ୍ବାଦ କର୍ପୋରେଟ୍‌ ଏକ୍ସିଲେନ୍ସ ଆୱାର୍ଡ୍‌-୨୦୨୧ ଗ୍ରହଣ କରିଥିବା ପ୍ରତିଷ୍ଠିତ ବ୍ୟକ୍ତି ଓ ସଂସ୍ଥାକୁ ସେ ଅଭିନନ୍ଦନ ଜଣାଇଛନ୍ତି। ଆଧୁନିକ ସମୟରେ ଆମେ ବ୍ରାଣ୍ଡ୍ ଓଡ଼ିଶାର ଚିନ୍ତା କରୁଛେ। ମହାପ୍ରଭୁ ଶ୍ରୀଜଗନ୍ନାଥ ହିଁ ଓଡ଼ିଶାର ବ୍ରାଣ୍ଡ୍ ଏବଂ ସେ ହିଁ ଆମ ଜାତିର ଅସ୍ମିତାର ପରିଚୟ। ଆମ ଓଡ଼ିଆ ସଂସ୍କୃତି, ପରମ୍ପରା, କଳା, ଭାସ୍କର୍ଯ୍ୟ, ସାହିତ୍ୟ ଓ ଖାଦ୍ୟପେୟ ଇତ୍ୟାଦି ଆମ ପାଇଁ ବ୍ରାଣ୍ଡ୍ ଓ ଆମର ପରିଚୟବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତିା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ ବର୍ତମାନ ସମୟରେ ଆମେ ଓଡ଼ିଶାର ସମସ୍ୟାକୁ ଦାୟିତ୍ୱର ସହ ନେବା ସହ ସମାଜିକ ଉଦ୍ୟମରେ ଏହାର ସମାଧାନ କରିବା ଦରକାର। ଆମେ ୨୦୨୧କୁ ପ୍ରବେଶ କରିଥିବା ବେଳେ ଆଉ ୧୫ ବର୍ଷ ପରେ ୨୦୩୬କୁ ଓଡ଼ିଶା ପ୍ରଥମ ଭାଷାଭିତିକ ରାଜ୍ୟ ଭାବରେ ସ୍ୱତନ୍ତ୍ର ପ୍ରଦେଶ ଗଠନ ହେବାର ୧୦୦ ବର୍ଷ ପୂରଣ କରିବ। ତେବେ ଏହି ସମୟରେ ଓଡ଼ିଶାରେ ପ୍ରତିବର୍ଷ ଜନ୍ମ ହେଉଥିବା ୮ ଲକ୍ଷ ଶିଶୁଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ପୁଷ୍ଟିକରଯୁକ୍ତ ଖାଦ୍ୟ ନ ମିଳିବା ଆଜିର ସମୟରେ ଆମ ପାଇଁ ବଡ଼ ଚ୍ୟାଲେଞ୍ଜ। ଏହି କାରଣରୁ ଶିଶୁ ମାନଙ୍କର ଶରୀରର ସଠିକ୍ ବିକାଶ ହୋଇନଥାଏ। ଏହି ସମସ୍ୟାକୁ ସମାଜକୁ ଗୁରୁତ୍ୱର ସହ ଦାୟିତ୍ୱ ନେବା ପାଇଁ ପଡ଼ିବ।

ଓଡ଼ିଶାରେ ଶିଶୁ ମାନଙ୍କ ଜନ୍ମ ପରେ ପରେ ସେମାନଙ୍କ ଶାରିରୀକ ବୃଦ୍ଧି ନିମନ୍ତେ ଶିଶୁଙ୍କୁ ପୁଷ୍ଟିକର ତଥା ପୋଷଣ ଯୁକ୍ତ ଖାଦ୍ୟ କିପରି ପହଁଚିପାରିବ ସେ ନେଇ ଦୃଷ୍ଟିଦେବା ଦରକାର। ଏହି ସମସ୍ୟାର ସମାଧାନ ହେଲେ ୨୦୩୬କୁ ଓଡ଼ିଶାର ସାମଗ୍ରିକ ବିକାଶ ସଠିକ୍ ଭାବରେ ହୋଇପାରିବ। ପ୍ରଗତି ଶୀର୍ଷରେ ପହଁଚିବା ପାଇଁ ଓଡିଶାରେ ସବୁ ଉପାଦାନ ଭରିରହିଛି। ବିଶାଳ ବେଳାଭୂମି, ରତ୍ନଗର୍ଭା ସମୁଦ୍ର, ବିଶାଳ ଜଙ୍ଗଲ ସମ୍ପଦ, ଅମାପ ଖଣିଜ ସମ୍ପଦ, ପର୍ଯ୍ୟଟନର ସମ୍ଭାବନା ଓ ଏହା ସହ ବୁଦ୍ଧିମାନ ଓ ପରିଶ୍ରମୀ ମାନବ ସମ୍ବଳ ଓଡିଶାର ଅନନ୍ୟ ପରିଚୟ। ଓଡ଼ିଶା ହେଉଛି ଭାରତର ବୃହତମ ଲୁହାପଥର, ଅଶୋଧିତ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦନକାରୀ ରାଜ୍ୟ। ବହୁ ଖଣି ନୀତି ପରିବର୍ତନ ତଥା ଜାତୀୟ ଇସ୍ପାତ୍ ନୀତି ଦ୍ୱାରା ଦେଶରେ ୨୦୩୦ ସୁଦ୍ଧା ୩୦୦ ମିଲିୟନ ଟନ ଇସ୍ପାତ୍ ଉତ୍ପାଦନର ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡ଼ିଶାର ଯୋଗଦାନ ୧୦୦ ମିଲିୟନ ଟନ୍ ରହିବାର ଆକଳନ କରାଯାଇଛି।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିର କଲେଜ ଛାତ୍ର ଶିବ ପାତ୍ର ଇଣ୍ଟରନେଟ୍ ଉପଯୋଗ କରି ବାସି ଫୁଲରୁ ସୁଗନ୍ଧ ଧୂପକାଠି ତିଆରି କରି ସଫଳ ବ୍ୟବସାୟୀ ହୋଇପାରିଛନ୍ତି ।ନିଆଳିର ଉପେନ୍ଦ୍ର ରାଉତ ନିଜ ଜମିରେ ଥାଇଲ୍ୟାଣ୍ଡର ସୁସ୍ୱାଦୁ ଫଳ ଚାଷ କରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି, ଏପରି ସମ୍ଭାବନା ଆଜି ଓଡ଼ିଶାରେ ଦେଖାଦେଇଛି। ଏହି ସମସ୍ତ ସମସ୍ୟା, ସମ୍ଭାବନା ଓ ସମାଧାନକୁ ଦୃଷ୍ଟିରେ ରଖି ୨୦୩୬ରେ ଓଡ଼ିଶାକୁ ଉନ୍ନତିର ପଥରେ ଆଗେଇ ନେବା ବୋଲି ସେ କହିଛନ୍ତି।

Comments are closed.