Odisha Link
Bridging the Missing Links in Odisha

ଇସ୍ପାତ୍ ଶିଳ୍ପକୁ ରପ୍ତାନୀ କେନ୍ଦ୍ରିକ କରିବା ଉପରେ ଗୁରୁତ୍ୱାରୋପ: ଧର୍ମେନ୍ଦ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତକୁ ୫ ଟ୍ରିଲିୟନ ଆମେରିକୀୟ ଡ଼ଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟକୁ ହାସଲ କରିବା ଦିଗରେ ଦେଶ ଭିତିଭୂମିର ବିକାଶ ଏକମାତ୍ର ଚାବିକାଠୀ। ଏକବିଂଶ ଶତାବ୍ଦୀରେ ଭାରତର ଅତ୍ୟାଧୁନିକ ଭିତିଭୂମି ନିର୍ମାଣ କରିବା ପାଇଁ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶୁକ୍ରବାର ଇଣ୍ଡିଆନ ଷ୍ଟିଲ ଆସୋସିଏସନ(ଆଇଏସଏ) ପକ୍ଷରୁ ଆୟୋଜିତ ୱେବନାରରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେହିପରି ଏହି ଅବସରରେ ଇସ୍ପାତ୍ ଶିଳ୍ପକୁ ରପ୍ତାନୀ କେନ୍ଦ୍ରିକ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପ୍ରଧାନ। ଇସ୍ପାତ ନିର୍ମାଣ ଏବଂ ଭିତିଭୂମି ପାଇଁ ନୂଆ ସୁଯୋଗ ଶୀର୍ଷକ ଆଲୋଚନା ଚକ୍ରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ କୋଭିଡ୍‌-୧୯ ଆମ ପାଇଁ ଚ୍ୟାଲେଞ୍ଜ୍ ଆଣିଥିବା ବେଳେ ଭାରତ ଏହାକୁ ସୁଯୋଗରେ ପରିଣତ କରିଛି। ରାସ୍ତା, ରେଳ, ଘର ନିର୍ମାଣ ହେଉ କିମ୍ବା ତୈଳ ଓ ଗ୍ୟାସ ଭିତିଭୂମିକୁ ଅଧିକ ମଜବୁତ୍ କରାଯାଇଛି। ଆତ୍ମନିର୍ଭର ଭାରତରେ ୨୦ ଲକ୍ଷ କୋଟିର ପ୍ୟାକେଜ୍ ଦେଶର ସାମଗ୍ରିକ ଭିତିଭୂମିକୁ ସୁଦୃଢ଼ କରିବା ସହ ଇସ୍ପାତ୍ କ୍ଷେତ୍ର ପାଇଁ ନୂଆ ସୁଯୋଗ ଆଣିଦେଇଛି।

ଦେଶରେ କରୋନା ଟୀକା ପ୍ରସ୍ତୁତି ହେବା ଭାରତର ଆଉ ଏକ ପ୍ରତିଭାର ଉଦାହରଣ। ବୃହତ ଘରୋଇ ବଜାର ଏବଂ ବିଭିନ୍ନ ରପ୍ତାନୀ ସମ୍ଭାବନା ସହ ଆମର ଇସ୍ପାତ କ୍ଷେତ୍ର ଅଧିକ ଅଭିବୃଦ୍ଧି, ବିଶ୍ୱ ପ୍ରତିଯୋଗୀତା ଏବଂ ରପ୍ତାନୀ କେନ୍ଦ୍ରିକ ହୋଇପାରିବ। ଏହାସହ ଦେଶରେ ଅଧିକ ଇସ୍ପାତର ବ୍ୟବହାର ଦ୍ୱାରା ସମାଜକୁ ବୃହତ ଭାବରେ ଶକ୍ତି ପ୍ରଦାନ କରାଯାଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Comments are closed.