Odisha Link
Bridging the Missing Links in Odisha

ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କୁ Z+ ସୁରକ୍ଷା

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରାଯାଇଛି। ସମଗ୍ର ଦେଶରେ ଯେ କୌଣସି ସ୍ଥାନକୁ ଗମନାଗମନ ପାଇଁ ଗୋଗୋଇଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୬ ବର୍ଷୀୟ ଜଷ୍ଟିସ ଗୋଗୋଇଙ୍କୁ ସିଆରପିଏଫଙ୍କ ସଶସ୍ତ୍ର କାମଣ୍ଡୋମାନେ Z+ ସୁରକ୍ଷା ଯୋଗାଇ ଦେବେ। ତାଙ୍କୁ ୮ରୁ ୧୨ ଜଣ ସଶସ୍ତ୍ର ସିଆରପିଏଫ କମାଣ୍ଡୋ ଯିବା ଆସିବା ବେଳେ ସୁରକ୍ଷା ଦେବେ। ଏଥିସହ ତାଙ୍କ ଘରେ ମଧ୍ୟ ସମାନ ସଂଖ୍ୟକ କମାଣ୍ଡୋ ମୁତୟନ ହେବେ।

ଅଯୋଧ୍ୟା ବିବାଦରେ ନିଷ୍ପତ୍ତି ଶୁଣାଇବା ପୂର୍ବରୁ ମଧ୍ୟ ତତ୍କାଳୀନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା ଦିଆଯାଇଥିଲା। ଏଭଳି ସୁରକ୍ଷା ପାଇବାରେ ଜଷ୍ଟିସ ଗୋଗୋଇ ୬୩ତମ ସଦସ୍ୟ। ପୂର୍ବରୁ ସେ ଦିଲ୍ଲୀ ପୁଲିସ୍‌ର ସୁରକ୍ଷା ବଳୟ ମଧ୍ୟରେ ଯିବା ଆସିବା କରୁଥିଲେ। କିନ୍ତୁ ଏବେ ସିଆରପିଏଫର ଭିଆଇପି ସୁରକ୍ଷା ବଳୟ ତାଙ୍କୁ ମିଳିବ। ସୁପ୍ରିମକୋର୍ଟରୁ ଅବସର ନେବା ପରେ ଜଷ୍ଟିସ ଗୋଗୋଇ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଜେଡ୍ ପ୍ଲସ୍ କାଟାଗୋରୀର ଲୋକଙ୍କ ସୁରକ୍ଷା କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ ଅର୍ଥାତ ସିଆରପିଏଫ ପ୍ରଦାନ କରିଥାଏ। ଏହି ଶ୍ରେଣୀର ସୁରକ୍ଷା ବ୍ୟବସ୍ଥା ଦେଶର ବଛା ବଛା ଲୋକଙ୍କୁ ମିଳିଥାଏ। କାହାକୁ ଜେଡ୍ ପ୍ଲସ୍ ସୁରକ୍ଷା ମିଳିବ ଏହାର ନିଷ୍ପତ୍ତି କେନ୍ଦ୍ର ସରକାର କରିଥାନ୍ତି। ଜେଡ୍ ପ୍ଲସ୍ ଏବଂ ଅନ୍ୟ ପ୍ରକାରର ସୁରକ୍ଷା ଭିଆଇପି ଲୋକଙ୍କୁ ଯୋଗାଇ ଦିଆଯାଇଥାଏ।

Comments are closed.