ରାଜଧାନୀରେ ବଢୁଛି ସାଇବର ଠକେଇ ମାମଲା, ୩ଦିନରେ ସାଢେ ୧୦ଲକ୍ଷ ଲୁଟ୍
ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଠକେଇ ମାମଲା। ସାଇବର ଠକ ବିଭିନ୍ନ ପ୍ରଲୋଭନ ଦେଖାଇ ଲୋକଙ୍କଠୁ ଲକ୍ଷାଧିକ ଟଙ୍କା ଲୁଟୁଛନ୍ତି। ରାଜଧାନୀରୁ ଗତ ୩ ଦିନ ଭିତରେ ସାଇବର ଠକମାନେ ସାଢ଼େ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। କମିସନରେଟ୍ ପୁଲିସର ହେଲ୍ପ ଡେସ୍କକୁ ଆସିଥିବା ଅଭିଯୋଗରୁ ଏହି ତଥ୍ୟ ମିଳିଛି।
ଗତ ୨୪ ତାରିଖରେ ୩ ଲକ୍ଷ ୮୬ ହଜାର ଟଙ୍କା, ୨୫ ତାରିଖରେ ୩ ଲକ୍ଷ ୫୪ ହଜାର ଟଙ୍କା ଓ ୨୬ ତାରିଖରେ ୨ ଲକ୍ଷ ୯୮ ହଜାର ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ୩୮ ଜଣଙ୍କଠାରୁ ଏହି ଟଙ୍କା ଲୁଟ୍ ହୋଇଥିବା ଜଣାପଡ଼ିଛି। କାହାକୁ ଖାତା ଅପ୍ଡେଟ୍ କରିବା ବାହାନାରେ, କେତେ ଜଣଙ୍କୁ ଫୋନ୍ ପେ’ ୱାଲେଟ୍କୁ ଭାଉଚର ପଠାଇବା ନାଁରେ, କିଛି ଲୋକଙ୍କୁ ଲଟେରି ଲୋଭ, କିଛି ଲୋକଙ୍କୁ ମୋବାଇଲ୍ ଟାୱାର ବସାଇବା ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ସାଇବର ଠକେଇ ବଢ଼ି ଚାଲୁଥିବାରୁ କମିସନରେଟ୍ ପୁଲିସ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ସାଇବର ହେଲ୍ପ ଡେସ୍କ ଖୋଲାଯାଇଛି। ତ୍ବରିତ୍ ଅଭିଯୋଗ ପାଇଁ ଟେଲିଫୋନ୍ ବ୍ୟବସ୍ଥା ହୋଇଛି। ତେଣୁ ଏବେ ଏହି ଡେସ୍କକୁ ଦିନକୁ ୨ ଶହରୁ ଊର୍ଦ୍ଧ୍ବ କଲ୍ ଆସୁଛି। ଏଥିରୁ ୮୦ ଭାଗ ଭୁବନେଶ୍ବର ବାହାରୁ ଆସୁଛି। ଗତ ତିନି ଦିନ ଭିତରେ ଏହି ଡେସ୍କକୁ ୧୨୦ କଲ୍ ଆସିଛି ଓ ଏଥିରୁ ୩୮ କଲ୍ ଭୁବନେଶ୍ବର ଭିତରୁ ରହିଛି।
ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି, କେବଳ ସଚେତନ ହେଲେ ହିଁ ଏହି ଠକମାନଙ୍କ କବଳରୁ ବର୍ତ୍ତି ହେବ। ଏବେ ଠକମାନେ ବିଭିନ୍ନ ସଂସ୍ଥାର କଷ୍ଟମର କେୟାରର ନକଲି ଲୋଗୋ ବ୍ୟବହାର କରି ସାଇଡ୍ ଖୋଲିଛନ୍ତି। ମୋବାଇଲ୍ ଫୋନ୍ ଉପଭୋକ୍ତାମାନେ କୌଣସି କାରଣବଶତଃ ଏହି ସାଇଡ୍ରେ ପହଞ୍ଚିଗଲେ ଠକଙ୍କ ଜାଲରେ ପଡ଼ିବା ନିଶ୍ଚିତ ହୋଇଯାଉଛି। ଏଣୁ କଷ୍ଟମର୍ କେୟାର୍ ସାଇଡ୍କୁ ଭଲ ଭାବେ ଯାଞ୍ଚ କରିବାକୁ ଡିସିପି ଶ୍ରୀ ଦାଶ ପରାମର୍ଶ ଦେଇଛନ୍ତି।
Comments are closed.