Odisha Link
Bridging the Missing Links in Odisha

ଲୋକାର୍ପିତ ହେଲା ନ୍ୟୁଜ ଭିତ୍ତିକ କାର୍ଟୁନ ସାପ୍ତାହିକ ସମାଲେଚନା

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ୍ ନ୍ୟୁଜ ଭିତ୍ତିକ କାର୍ଟୁନ ସାପ୍ତାହିକ ‘ସମାଲେଚନା’ ସହିଦ ଦିବସରେ ଲୋକାର୍ପିତ ହୋଇଯାଇଛି। ଏହାର ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ଏହା ସହ ରାଜ୍ୟର ବିଭିନ୍ନ ବର୍ଗର ପ୍ରତିନିଧିତ୍ୱ କରୁଥିବା ପ୍ରତିଷ୍ଠିତ ବ୍ୟକ୍ତିତ୍ୱମାନେ ଯୋଗ ଦେଇ ‘ସମାଲୋଚନା’କୁ ଆଶୀର୍ବାଦ କରିଥିଲେ।

ଏହି ଅବସରରେ ‘ବଡ଼ ଖବର’ ଓ ‘ସମାଲୋଚନା’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ରାଜ୍ୟବାସୀଙ୍କ ଆଗରେ ଗୁରୁତ୍ୱପୁର୍ଣ୍ଣ କଥା ରଖିଥିଲେ। ସେ କହିଥିଲେ, ଏବେ ଗୋଦି ମିଡିଆ ବା କୋଳ ମିଡିଆର ଟେଣ୍ଡ ଚାଲିଛି। କ୍ଷମତାଶାଳୀ ଲୋକଙ୍କ କୋଳରେ ବସିବାକୁ ମିଡିଆ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ଏଭଳି ସ୍ଥିତିର ପରିବର୍ତ୍ତନ ପାଇଁ ‘ବଡ଼ ଖବର’ ଓ ‘ସମାଲୋଚନା’ ନିର୍ଣ୍ଣାୟକ ଭୂମିକା ନେବ।

ସେ ଏହି ପ୍ରତିଶୃତି ଦେଇଛନ୍ତି ‘ବଡ଼ ଖବର’ ଗ୍ରୁପ୍ କାହାରି କୋଳରେ ବସିବ ନାହିଁ । ଗୋଡ଼ ଭାଙ୍ଗି ବିଜ୍ଞାପନଦାତାଙ୍କ ପାଖରେ ଛିଡ଼ା ହେବ ନାହିଁ। ସାଧାରଣ ଲୋକଙ୍କ ସହଯୋଗରେ ‘ସମାଲୋଚନା’ ବଞ୍ଚିବ। ଗତ ୨୫ ବର୍ଷର ସାମ୍ବାଦିକତାରେ କେବେ ବି କୌଣସି ନେତା ପାଖରେ ଯାଇ ବସି ନାହିଁ। ସାମ୍ବାଦିକତାକୁ ବିକ୍ରି କରି ନାହିଁ। କେବଳ ଲୋକଙ୍କ ପାଇଁ ସାମ୍ବାଦିକତା କରିବାର ଝୁଙ୍କ୍ ପାଇଁ ବାରମ୍ବାର କ୍ଷତାକ୍ତ ହୋଇଛି। ବୟସ ଅଧିକ ହୋଇଯାଇଥିଲେ ଅବସର ନେଇଯାଇଥାନ୍ତି । କିନ୍ତୁ ସାମ୍ବାଦିକ ଭାବେ ବହୁତ କିଛି କରିବାର ଇଚ୍ଛା ଅଛି। ତେଣୁ ଛୋଟ ହେଉ ପଛେ ଦୁଇଟି ମିଡ଼ିଆ ହାଉସ କରାଯାଇଛି। ଗୋଟିଏ ଲେକଙ୍କ ଚ୍ୟାନେଲ ଭାବେ ଖୁବ୍ କମ୍ ଦିନ ହେବ କାମ ଆରମ୍ଭ କରିଛି, ଅନ୍ୟଟି ଏବେ ଜନ୍ମ ହୋଇଛି। ‘ସମାଲୋଚନା’ ସମ୍ପର୍କରେ ଅର୍ଦ୍ଧେନ୍ଦୁ କହିଛନ୍ତି ଏହା ୧୨ ପୃଷ୍ଠାର ଟାବଲଏଡ।

ଏଥିରେ ସମସ୍ତ ବିଷୟବସ୍ତୁ କାର୍ଟୁନ ମାଧ୍ୟମରେ ଉପସ୍ଥାପିତ ହେବ। ‘ସମାଲୋଚନା’ରେ ଜଣେ କମନମ୍ୟାନ ବା ସାଧାରଣ ମଣିଷ ରହିବ। ଯିଏ ନିର୍ଭିକ ଚଷମାରେ ସମସ୍ତଙ୍କ ଦୋଷ ତ୍ରୁଟିକୁ ଦେଖି ପାରିବ। ଗଠନମୂଳକ ସମାଲେଚନା କରିବ। ସେହି ସାଧାରଣ ମଣିଷର ଚଷମାରୁ କେହି ବି ବାଦ୍ ପଡ଼ିବେ ନାହିଁ। ‘ସମାଲୋଚନା’ର ମୂଲ୍ୟ ଖଣ୍ଡ ପ୍ରତୁ ୫୦ ଟଙ୍କା ରଖାଯାଇଥିବା ବେଳେ ପାଠକ ୨୦୦୦ ଟଙ୍କା ଦେଇ ବାର୍ଷିକ ଗ୍ରାହକ ହୋଇପାରିବେ। ଲୋକଙ୍କ ସହଯୋଗରେ ହିଁ ‘ବଡ଼ ଖବର’ ଓ ‘ସମାଲୋଚନା’ ବଞ୍ଚିବ। ନିରପେକ୍ଷ ସାମ୍ବାଦିକତାର ପ୍ରତିଶୃତି ଦେଇ ସେ ରାଜ୍ୟବାସୀଙ୍କର ଭଲପାଇବା କାମନା କରିଛନ୍ତି।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ଜଟଣୀ ବିଧାୟକ ସୁର ରାଉତରାୟ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପ୍ରଦ୍ୟୁମ୍ନ ଶତପଥୀ, ବିଭୂତି ଭୂଷଣ କର, ଉମାକାନ୍ତ ପଟ୍ଟନାୟକ, ଆଦର୍ଶ ପଟ୍ଟନାୟକ, ଦେବ ପ୍ରସାଦ ପରିଜା, କର୍ମଚାରୀ ସଙ୍ଘନେତା ପ୍ରଭାତ ମହାନ୍ତି, କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ନାଟ୍ୟକାର ଧିରେନ୍ଦ୍ର ନାଥ ମଲ୍ଲିକ, ବିଜୟ ଦାସ, ସମାଜସେବୀ ଜୟଶ୍ରୀ ମହାପାତ୍ର, ପ୍ରସିଦ୍ଧ କାର୍ଟୁନିଷ୍ଟ ବିଧୁ ଭୂଷଣ, ସୁଦାମ ଶେଖର ପ୍ରମୁଖ ଯୋଗ ଦେଇଥିଲେ। ‘ବଡ଼ ଖବର’ର ଡେପୁଟି ଏଡ଼ିଟର କିଶନ ବାରାଇ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ‘ବଡ଼ ଖବର’ ଗ୍ରୁପର ମହାପ୍ରବନ୍ଧକ କୀର୍ତ୍ତିକ ଚନ୍ଦ୍ର ରାୟ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.