ପିପିଲି ଉପନିର୍ବାଚନ: ଆରମ୍ଭ ହେଲା ବିଜେଡ଼ିର ମନ୍ଥନ କାର୍ଯ୍ୟ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଛି। ଆଜି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ଘରେ ଆରମ୍ଭ ହୋଇଛି ମାନସ ମନ୍ଥନ। ମହାରଥୀଙ୍କ ପରିବାରରୁ ପ୍ରତିନିଧିତ୍ୱ ପାଇଁ ଦାବି କରିଛନ୍ତି ସ୍ଥାନୀୟ ନେତା। ପିପିଲି ବ୍ଲକ ଅଧ୍ୟକ୍ଷା କଳ୍ପନା ସାମନ୍ତରାୟ କହିଛନ୍ତି ,ମୁଖ୍ୟମନ୍ତ୍ରୀ ଯାହାକୁ ପ୍ରାର୍ଥୀ ଚୂଡ଼ାନ୍ତ କରିବେ ସେ ସମର୍ଥନ କରିବେ।
ତେବେ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ସେ ପ୍ରସ୍ତାବ ଦେଇଛନ୍ତି। ଆଜି ପର୍ଯ୍ୟବେକ୍ଷକଙ୍କ ଘରେ ବସିଥିବା ବୈଠକରେ ପିପିଲି ଓ ଡେଲାଙ୍ଗ ଅଞ୍ଚଳରୁ ବ୍ଲକ ସ୍ତରୀୟ ନେତାଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଛନ୍ତି ପ୍ରତାପ ଦେବ। ଖାସକରି ମହିଳା ସଶକ୍ତୀକରଣକୁୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଥିବାରୁ ପ୍ରତିଭାଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ପୁଅ ରୁଦ୍ର ମହାରଥୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି।
ଯେହେତୁ ପିପିଲିର ଯୁବ-ଛାତ୍ର ଗୋଷ୍ଠୀଙ୍କ ସହ ରୁଦ୍ର ସିଧାସଳଖ ଭାବେ ଯୋଡି ହୋଇ ରହିଛନ୍ତି ତେଣୁ ତାଙ୍କୁ ମଧ୍ୟ ସୁଯୋଗ ମିଳିପାରେ ବୋଲି କୁହାଯାଉଛି। ଏହାପୂର୍ବରୁ ରୁଦ୍ର ମହାରଥୀ ପ୍ରାର୍ଥୀତ୍ୱ ପ୍ରସଙ୍ଗରେ କହିଥିଲେ ଯେ, ପରିବାର ଭିତରେ ଏଯାଏଁ ପ୍ରାର୍ଥୀତ୍ୱକୁ ନେଇ କୌଣସି ଆଲୋଚନା ହୋଇନାହିଁ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ଆମେ ସମର୍ଥନ କରିବୁ ଓ ଦଳୀୟ ନିଷ୍ପତ୍ତିକୁ ମାନିବୁ ବୋଲି ସ୍ପଷ୍ଟ କରିଥିଲେ।
Comments are closed.