Odisha Link
Bridging the Missing Links in Odisha

ଆସନ୍ତାକାଲି ସାରା ଭାରତରେ ଚକାଜାମ ଡ଼ାକରା ଦେଇଛନ୍ତି ଚାଷୀ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ସାରା ଭାରତରେ ଚକାଜାମ ଡ଼ାକରା ଦେଇଛନ୍ତି ଚାଷୀ। ଏଥିପାଇଁ ଦିଲ୍ଲୀର ସୀମାରେ ୩ଟି ଆନ୍ଦୋଳନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅଧିକ ଫୋର୍ସ ମୁତୟନ କରାଯାଇଛି। ଏକାଧିକ ସ୍ତରୀୟ ବାରିକେଡ କରାଯିବା ସହିତ ରାସ୍ତାରେ କଣ୍ଟା ଓ ତାର ଲଗାଯାଇଛି ।

ଭାରତୀୟ କିଷାନ ୟୁନିଅନ ନେତା ରାକେଶ ଟିକାୟତ କହିଛନ୍ତି ଦେଶରେ ଏହି ଚକାଜାମ ଶାନ୍ତିପୂର୍ଣ୍ଣ ହେବ। ତେବେ ଦିଲ୍ଲୀରେ ଚକା ଜାମ ହେବ ନାହିଁ। କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ଓଡିଶାରେ ମଧ୍ୟ ଅଖ ଜାମ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାଜ୍ୟର ୨୨ରୁ ୨୩ଟି ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବ ନବ ନିର୍ମାଣ କୃଷକ ସଂଗଠନ। ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ କେନ୍ଦ୍ର ସରକାର କୃଷକମାନଙ୍କ ଉପରେ କରୁଥିବା ଅତ୍ୟାଚାର ପ୍ରସଙ୍ଗରେ ବୁଝାଯିବ।

ତେବେ ଏହି ଆନ୍ଦୋଳନକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ବିଧାୟକ ଶଶିଭୂଷଣ ବେହେରା କହିଛନ୍ତି ଚାଷୀ ଆନ୍ଦୋଳନ ହିଂସାତ୍ମକ ନହେଉ। ଆଲୋଚନାରୁ ନିଷ୍କର୍ସ ବାହାରିବ ବୋଲି କହିଛନ୍ତି ଶଶିଭୂଷଣ। ଅନ୍ୟପଟେ ଏହି ଚକାଜାମକୁ ସମର୍ଥନ କରିଛି କଂଗ୍ରେସ। ଚାଷୀଙ୍କ ଆନ୍ଦୋଳନକୁ ସରକାର ଗୁରୁତ୍ୱ ଦେବା ଦରକାର ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ ବିଜେପି କୃଷି ଆଇନ ଲାଗୁ ହେବା ଦ୍ୱାରା ଚାଷୀମାନେ ଉପକୃତ ହେବେ ବୋଲି ଦୋହରାଇଛି।

Comments are closed.