Odisha Link
Bridging the Missing Links in Odisha

ଚାଲିଥିଲା ସାରଥୀ ଭଜନ ସନ୍ଧ୍ୟା, ବନ୍ଦ କରାଇଲା ପୁଲିସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସହରର ମଢ଼ିଆଳ ବଜାରରେ ଚାଲିଥିଲା ସାରଥି ଭଜନ ସନ୍ଧ୍ୟା। ବିବାଦୀୟ ‘ସାରଥି ବାବା’ ଓରଫ ସନ୍ତୋଷ ରାଉଳର କିଛି ଅନୁଗତ ଭକ୍ତ ଭଜନ କାର୍ଯ୍ୟକ୍ରମ ଚଳାଇଥିବା ବେଳେ ସ୍ଥାନୀୟ ପୁଲିସ ପହଞ୍ଚି ଏହାକୁ ବନ୍ଦ କରାଇଛି। ଆତ୍ମଘୋଷିତ ବାବା ସନ୍ତୋଷ ରାଉଳ ଓରଫ ସାରଥି ପ୍ରବଚନ, ସତ୍‌ସଙ୍ଗ, ଭଜନ ଭଳି କାର୍ଯ୍ୟକ୍ରମରେ ଭାଗ ନେଇପାରିବେନି କି କେନ୍ଦ୍ରାପଡ଼ା ଯାଇପାରିବେନି ବୋଲି ସର୍ତ୍ତ ରହିଛି ।

ଅପରପକ୍ଷରେ ବିବାଦୀୟ ସାରଥି ବାବା ନାଁରେ କାର୍ଯ୍ୟକ୍ରମ ପରିବେଷଣକୁ ପ୍ରଶାସନିକ ସ୍ତରରେ ବାରଣ ଥିବା ବେଳେ ତାହାର ଖିଲାପ କରାଯାଉଥିବା ନେଇ ପୁଲିସ ପାଖେ ଅଭିଯୋଗ ହୋଇଥିଲା । ଅଞ୍ଚଳର ଜଣେ ବ୍ୟବସାୟୀ ପ୍ରାୟ ୫୦ରୁ ଅଧିକ ଲୋକଙ୍କୁ ନେଇ ସାରଥିର ଫଟୋଚିତ୍ର ରଖି ଭଜନ କାର୍ଯ୍ୟକ୍ରମ ଚଳାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ପୁଲିସ ଖବର ପାଇ ଏହାକୁ ବନ୍ଦ କରିବା ସହ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ସୂଚନାଯୋଗ୍ୟ, ସୋମବାର ରାତିରେ ଏହି କାର୍ଯ୍ୟକ୍ରମ ମଢ଼ିଆଳରେ ଚାଲିଥିଲା । ଆତ୍ମଘୋଷିତ ବାବା ସନ୍ତୋଷ ରାଉଳ ଓରଫ ସାରଥିଙ୍କୁ ସମସ୍ତ ମାମଲାରେ ହାଇକୋର୍ଟରୁ ଜାମିନ୍‌ ମିଳିଥିବା ବେଳେ ଜେଲ୍‌ରୁ ମୁକ୍ତି ପାଇ ସେ ଏବେ ଅଜ୍ଞାତ ସ୍ଥାନରେ ରହୁଛନ୍ତି । ସାରଥିଙ୍କ ପ୍ରବଚନ, ଭଜନ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ ହୋଇଥିଲେ ବି ଏଠାରେ ବେଆଇନ ଭାବେ ଏହା କରାଯାଉଥିବାରୁ ପୁଲିସ ଏଭଳି ପଦକ୍ଷେପ ନେଇଥିବା ଟାଉନ୍‌ ଥାନା ଆଇଆଇସି ଜ୍ୟୋତିରଞ୍ଜନ ସାମନ୍ତରାୟ ସୂଚନା ଦେଇଛନ୍ତି।

Comments are closed.