Odisha Link
Bridging the Missing Links in Odisha

୧୨୪୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋର ମଞ୍ଜୁରୀ

ଭୁବନେଶ୍ୱର: ୧୨୪୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗଲ ୱିଣ୍ଡୋର ମଂଜୁରୀ ମିଳିଛି। ଏହାଦ୍ୱାରା ୩୧୩୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲ ୱିଣ୍ଡୋ ବୈଠକରେ ଏହି ମଞ୍ଜୁରୀ ଦିଆଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ମୁଖ୍ୟସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ଅନୁମୋଦନ କର୍ତୃପକ୍ଷ ବୈଠକ ଡିଜିଟାଲ ମୋଡ଼ରେ ହୋଇଥିଲା। ଏହି ବୈଠକରେ ୮ଟି ଶିଳ୍ପ ପ୍ରକଳ୍ପର ୧୨୪୨ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଂଜୁରୀ ପ୍ରଦାନ କରାଯାଇଥିଲା। ମେଟାଲ ଓ ମେଟାଲ ଡାଉନଷ୍ଟି୍ରମ, ଆଇଟି, ନିର୍ମାଣ ଓ ପର୍ଯ୍ୟଟନ ଆଦି କ୍ଷେତ୍ର ପାଇଁ ପ୍ରସ୍ତାବ ଆସିଥିଲା। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ୩୧୩୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ପ୍ରକଳ୍ପଗୁଡ଼ିକୁ ମଂଜୁରୀ ପ୍ରଦାନ କରିବା ସହ ତୁରନ୍ତ ଏହାର ଶିଳାନ୍ୟାସ ଓ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏଥିପାଇଁ ଇଡ଼କଲ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଯୋଗାଇ ଦିଆଯିବ। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମାଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ, ଏସଏଲଏମ ପାଉଡ଼ର କମ୍ପାନୀ ପକ୍ଷରୁ ୬୭.୮୩ କୋଟି ବ୍ୟୟରେ ଆଇରନ ପାଉଡ଼ର କମ୍ପାନୀ ପ୍ରତିଷ୍ଠା କରାଯିବ। ସୁନ୍ଦରଗଡ଼ ଜିଲ୍ଲାର କୁଲାଙ୍ଗ ଶିଳ୍ପାଂଚଳରେ ପ୍ରତିଷ୍ଠା ହେବାକୁ ଥିବା ଏହି କମ୍ପାନୀରେ ୪୩୦ ଜଣଙ୍କୁ ନିଯୁକ୍ତି ମିଳିପାରିବ। ସେହିପରି ଓରିକନ ଏଂଟରପ୍ରାଇଜସ ପକ୍ଷରୁ ଖୋର୍ଦ୍ଧାରେ ଏକ ଖାଦ୍ୟ ଶିଳ୍ପ ପ୍ରତିଷ୍ଠା ହେବ। ୧୨୦ କୋଟି ନିବେଶରେ ହେବାକୁ ଥିବା ଏହି କମ୍ପାନୀରେ ୧୧୦ ଜଣଙ୍କୁ ନିଯୁକ୍ତି ମିଳିବ। ସୂର୍ଯ୍ୟ ଇଂଟରନାସନାଲ ପକ୍ଷରୁ ଖୋର୍ଦ୍ଧାର ଇଏମସି ପାର୍କ ଇନଫୋ ଭ୍ୟାଲିରେ ପ୍ରତିଷ୍ଠା ହେବାକୁ ଥିବା ଏହି କମ୍ପାନୀରେ ୬୭ କୋଟି ୫୦ ଲକ୍ଷ ଟଙ୍କା ନିବେଶ ହେବ। ଫଳରେ ୬୮୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଏହାଛଡ଼ା ଜଗନ୍ନାଥ ଇଣ୍ଡଷ୍ଟି୍ରଆଲ ଆଣ୍ଡ ଲଜିଷ୍ଟିକ ପାର୍କ ପକ୍ଷରୁ ଟାଙ୍ଗୀ ଚୌଦ୍ୱାରରେ ପ୍ରତିଷ୍ଠିତ ହେବାକୁ ଥିବା କମ୍ପାନୀରେ ୧୪୦ କୋଟି ଟଙ୍କା ନିବେଶ ହେବ। ଫଳରେ ୧୧୦ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରହିଛି। ପୁରୀର କୃଷ୍ଣପ୍ରସାଦ ଠାରେ ଆଇଆରଇଏଲ ଇଡ଼କଲ ପକ୍ଷରୁ ୪୬୦ କୋଟି ଟଙ୍କା ବ୍ୟୟରେ ଏକ ହେଭି ବିଚ ସ୍ୟାଣ୍ଡ ପ୍ରକଳ୍ପ ହେବ। ଯେଉଁଥିରେ ୮୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

Comments are closed.