ପଶ୍ଚିମବଙ୍ଗରେ କୁକୁର ମଡ଼କ, ଭାଇରସ୍ ନେଲାଣି ୨୫୦ ଜୀବନ

କୋଲକାତା: କରୋନା ମହାମାରୀ ଆତଙ୍କ କାୟା ବିସ୍ତାର କରୁଥିବା ବେଳେ ଏବେ ପଶ୍ଚିମବଙ୍ଗରେ କାନାଇନ୍ ପାରଭୋ ଭାଇରସ ଆତଙ୍କ ଦେଖିବାକୁ ମଳିଛି। ଏହି ଭାଇରସ କୁକୁରଙ୍କ ଠାରେ ଦେଖାଯାଉଥିବା ବେଳେ କୁକୁରଙ୍କର ମୃତ୍ୟୁ ମଧ୍ୟ ହେଉଛି। ସ୍ଥିତି ଏପରି ହୋଇଛି ଯେ, ୩ ଦିନ ମଧ୍ୟରେ ବିଷ୍ଣୁପୁରରେ ୨୫୦ରୁ ଅଧିକ କୁକୁର ମଲେଣି।
ଏହି ଭାଇରସ ଖୁବଦ୍ରୁତ ଗତିରେ ଗୋଟିଏ କୁକୁର ପାଖରୁ ଆଉ ଗୋଟିଏ କୁକୁରକୁ ବ୍ୟାପିବାରେ ଲାଗିଛି। ପଶୁ ଚିକିତ୍ସକଙ୍କ ମତରେ ମହାମାରୀ କରୋନା ଯୋଗୁଁ ବେଙ୍ଗଲରେ ପାରଭୋ ଭାଇରସ ପ୍ରବେଶ କରିଛି। କାରଣ କରୋନା କାରଣରୁ ଲୋକମାନେ ପାଳିଥିବା ସେମାନଙ୍କ କୁକୁରମାନଙ୍କୁ ଠିକ ସମୟରେ ଟିକା ଦେଇନାହାନ୍ତି।ଠିକ୍ ସମୟରେ ଟିକାକରଣ ନ ସରିଲେ, ସମସ୍ୟା ଆହୁରି ଜଟିଳ ହେବ। ପାରଭୋ ଭାଇରସ ନୂଆ ରୋଗ ନୁହେଁ। ଏହା ଯେତେବେଳେ ବେଙ୍ଗଲରେ ପ୍ରବେଶ କଲା ସେତେବେଳେ ଏହାର ଟିକା ନଥିଲା। କିନ୍ତୁ ଏବେ ଟିକା ବାହାରି ସାରିଛି।
ଅନ୍ୟପକ୍ଷରେ ବୁଲା କୁକୁରଙ୍କୁ କୌଣସି ପ୍ରକାରର ଟିକା ଦିଆଯାଏ ନାହିଁ। ଫଳରେ ଏହି ଭାଇରସ ଦୀର୍ଘଦିନ ଧରି ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ପାରଭୋ ଭାଇରସ ପାଇଁ ଗୋଟିଏ ସେରମ ଅଛି। ହେଲେ ଏହା ବହୁତ ଦାମୀ। ତଥାପି ଭାଇରସ ସଂସ୍ପର୍ଶରେ ଆସିଥିବା କୁକୁରଙ୍କୁ ଏହାଦ୍ୱାରା ଚିକିତ୍ସା କରାଯାଇ ପାରିବ।
ଯଦି କୌଣସି କୁକୁର ଖାଦ୍ୟ ନ ଖାଇଲା, ବାନ୍ତି, ଝାଡ଼ା ଭଳି ଲକ୍ଷଣ ଦେଖାଗଲା, ତା’ହେଲେ ତାକୁ ତୁରନ୍ତ ସାଲାଇନ ଦେବାକୁ ହେବ। ବାନ୍ତି ବନ୍ଦ ହେବା ପରେ ପାରଭୋ ନାମକ ଗୋଟିଏ ମେଡିସିନକୁ ଆଣ୍ଟିବାଓଟିକ୍ ମିଶାଇ ଦିଆଯାଇ ପାରିବ। ପାରଭୋ ଭାଇରସରେ ଆକ୍ରାନ୍ତ ହେଲେ ଝାଡ଼ା ହେବ, ରକ୍ତ ଶ୍ରାବ ଓ ଅର୍ଜିନିଆ ଭଳି ଲକ୍ଷଣ ଦେଖାଯିବ।
ଭେଷଜ ଡାକ୍ତର ଗୌତମ ମୁଖାର୍ଜୀ କହିଛନ୍ତି, ଋତୁ ବଦଳିବା ବେଳେ ସାଧାରଣତଃ କୁକୁରଙ୍କ ଶରୀରରେ ଏହି ଲକ୍ଷଣ ଦେଖାଯାଏ। ଯେଉଁ କୁକୁରମାନେ ପାରଭୋ ଟିକା ନେଇଥିବେ ସେମାନେ ଭାଇରସ ସଂସ୍ପର୍ଶରେ ଆସିଲେ ମଧ୍ୟ କମ ସଂକ୍ରମିତ ହେବାର ସମ୍ଭାବନା ରହିଛି।