Odisha Link
Bridging the Missing Links in Odisha

ବିଧାନସଭା ନିର୍ବାଚନ ପାଇଁ ୪ ରାଜ୍ୟର ତାରିଖ ଘୋଷଣା କଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ବାଜିଲା ବଡ଼ ଲଢ଼େଇର ବିଗୁଲ। ଆଜି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁଁ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ପଶ୍ଚିମବଙ୍ଗ, ତାମିଲନାଡ଼ୁ, ଆସାମ, କେରଳ ଓ ପୁଡ଼ୁଚେରୀ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ତାରିଖ ଘୋଷଣା କରିଛନ୍ତି। କରୋନା ଗାଇଡ଼ଲାଇନ ସହ ନିର୍ବାଚନ କରାଯିବ।

ସେହିପରି ନିର୍ବାଚନ ଦାୟିତ୍ୱରେ ଥିବା ସମସ୍ତ ପୋଲିଂ ଅଫିସରଙ୍କୁ ଟିକା ଦିଆଯିବ। ଅନଲାଇନରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିବାର ଥିବାବେଳେ ମତଦାନ ପାଇଁ ଅତିରିକ୍ତ ୧ ଘଂଟା ପ୍ରଦାନ କରାଯିବ। ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଓ ପୁଡୁଚେରୀର ୨.୭ ଲକ୍ଷ ମତଦାନ କେନ୍ଦ୍ରରେ ୧୮.୬୮ କୋଟି ମତଦାତା ଭୋଟ ଦେବେ ।

ପଶ୍ଚିମବଙ୍ଗର ୨୯୪ ଆସନ, ତାମିଲନାଡୁର ୨୩୪ ଆସନ, କେରଳର ୧୪୦ ଆସନ, ଆସାମର ୧୨୬ ଆସନ ଓ ପୁଡୁଚେରୀର ୩୦ ଆସନ ପାଇଁ ଭୋଟ ଗ୍ରହଣ ହେବବୋଲି ଶ୍ରୀ ଆରୋରା କହିଛନ୍ତି ।

ଆସାମ : ୩ ପର୍ଯ୍ୟାୟରେ ଆସାମରେ ଭୋଟ ଗ୍ରହଣ ହେବ। ମାର୍ଚ୍ଚ ୨୭ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବ । ଅପ୍ରେଲ ପହିଲାରେ ଦ୍ୱିତୀୟ ପର୍ଯ୍ୟାୟ ଓ ଅପ୍ରେଲ ୬ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ କରାଯିବ । ଯେତେବେଳେକି ମେ’ ୨ରେ ଭୋଟ ଗଣତି ହେବ।

କେରଳ : ଅପ୍ରେଲ ୬ରେ ଭୋଟଗ୍ରହଣ ଓ ମେ’ ୨ରେ ଭୋଟ ଗଣତି କରାଯିବ।

ତାମିଲନାଡୁ : ଅପ୍ରେଲ ୬ରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ଓ ମେ’ ୨ରେ ଭୋଟ ଗଣତି

ପୁଡୁଚେରୀ : ଅପ୍ରେଲ ୬ରେ ଭୋଟ, ମେ’ ୨ରେ ଗଣତି

ପଶ୍ଚିମବଙ୍ଗ : ଏଠାରେ ୮ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ମାର୍ଚ୍ଚ ୨୭, ଅପ୍ରେଲ ୧, ଅପ୍ରେଲ ୬, ଅପ୍ରେଲ ୧୦, ଅପ୍ରେଲ ୧୭, ଅପ୍ରେଲ ୨୨, ଅପ୍ରେଲ ୨୬ ଓ ଅପ୍ରେଲ ୨୯ରେ ଭୋଟ ଗ୍ରହଣ କରାଯିବ। ଯେତେବେଳେକି ମେ’ ୨ରେ ଭୋଟ ଗଣତି ହେବ।

Comments are closed.