Odisha Link
Bridging the Missing Links in Odisha

ଖୁସି ଖବର: କରୋନା ମୁକ୍ତ ହେଲା ଅରୁଣାଚଳପ୍ରଦେଶ

ନୂଆଦିଲ୍ଲୀ: ବହୁଦିନ ଧରି ଦେଶରେ ଦୈନିକ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବା ପରେ ଏବେ ତାହା ପୁଣି ଧୀରେ ଧୀରେ ବୃଦ୍ଧି ହେଉଛି। ଦେଶରେ ୮ ରାଜ୍ୟରେ ଏବେ କରୋନା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଛି। ଯାହାକୁ ନେଇ ରାଜ୍ୟ ମାନଙ୍କ ଠାରୁ କେନ୍ଦ୍ର ସରକାର ପୁଣି କରୋନା କଟକଣା ଜାରି କରିବାକୁ ଚିନ୍ତା କରୁଥିବା ବେଳେ ଦେଶର ଗୋଟିଏ ରାଜ୍ୟ କରୋନା ମୁକ୍ତ ହେବା ଭଳି ଏକ ଖୁସି ଖବର ଆସିଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ ଅରୁଣାଚଳ ପ୍ରଦେଶ ଏବେ ଦେଶର ପ୍ରଥମ କରୋନାମୁକ୍ତ ରାଜ୍ୟ ପାଲଟିଛି।

ରାଜ୍ୟରେ ଚିକିତ୍ସିତ ହେଉଥିବା ଶେଷ ୩ ଜଣ କରୋନା ସଂକ୍ରମିତ ଗତକାଲି ସୁସ୍ଥ ହେବା ପରେ ଅନ୍ୟ କୌଣସି ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧୬,୮୩୬ ଜଣ କରୋନାରେ ସଂକ୍ରମିତ ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ୧୬,୭୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।ରାଜ୍ୟ ସର୍ଭିଲାନ୍ସ ଅଫିସର ଲବସାଙ୍ଗ କାମ୍ପା କହିଛନ୍ତି କି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୌଣସି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି।

ରାଜ୍ୟରେ ସୁସ୍ଥ ହାର ୯୯.୬୬ ରହିଥିବା ବେଳେ ସଂକ୍ରମିତଙ୍କ ହାର ପାଖାପାଖି ଶୂନ ରହିଛି। ଏହାସହ ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଟିକାକରଣରେ ରାଜ୍ୟରେ ୩୨,୩୨୫ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କରୋନାଯୋଦ୍ଧାଙ୍କୁ ଟିକା ଦିଆଯାଇଥିବା କଥା କାମ୍ପା ସୂଚନା ଦେଇଛନ୍ତି।

Comments are closed.