ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: କାଲି ବିବନର ଟିଆଇ ପରେଡ଼

ଭୁବନେଶ୍ୱର: ୨୨ ବର୍ଷ ପରେ ପୁଲିସ ହାତରେ ଧରାପଡିଛି ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ। ଆସନ୍ତାକାଲି ବିବନର ଟିଆଇ ପରେଡ଼ ହେବ। ଝାରପଡ଼ା ଜେଲ ପରିସରରେ ଜେଏମଏଫସି ସୃଜାଲିନ ମହାନ୍ତି ଟିଆଇ ପରେଡ଼ କରିବେ। ସିବିଆଇ ସ୍ପେଶିଆଲ ଜଜ କୋର୍ଟ ଏଥିପାଇଁ ଅନୁମତି ପ୍ରଦାନ କରିଛନ୍ତି।
କାଲି ଝାରପଡ଼ା ଜେଲକୁ ଅଞ୍ଜନା ମିଶ୍ର ମଧ୍ୟ ଆସିବେ। ବିବନ ସହ କେତେକ ଅପରାଧିଙ୍କୁ ଟିଆଇ ପରେଡ଼ ପାଇଁ ଧାଡ଼ିରେ ଠିଆ କରାଯିବ। ସେମାନଙ୍କ ମଧ୍ୟରୁ ବିବନକୁ ଚିହ୍ନଟ କରିବେ ଅଞ୍ଜନା। ସେପଟେ ବିବନକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ବି ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି। ୪ ଓ ୫ ପାଇଁ ବିବନ ରିମାଣ୍ଡରେ ଯିବ।
ପ୍ରକାଶ ଯେ, ଟିଆଇ ପରେଡ଼ ପାଇଁ ସିବିଆଇର ଆବେଦନ ପରେ ଅଞ୍ଜନା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ୨୨ ବର୍ଷ ପରେ ଟିଆଇ ପରେଡରେ ବିବନକୁ ଚିହ୍ନିବି। କାହା ପ୍ରରୋଚନାରେ ଗଣଦୁଷ୍କର୍ମ ହୋଇଥିଲା ପଦାକୁ ଆସୁ। ବିବନକୁ କିଏ ଫେରାର କଲା ସାମ୍ନାକୁ ଆସୁ। ୨୨ ବର୍ଷ ହେଲା କାହା ଛତ୍ରଛାୟାରେ ବିବନ ଥିଲା ତାହା ତଦନ୍ତ ହେଉ। ଘଟଣା ପଛରେ ଷଡଯନ୍ତ୍ରକାରୀଙ୍କୁ ସାମ୍ନାକୁ ଆଣୁ ସିବିଆଇ ବୋଲି ଅଞ୍ଜନା କହିଛନ୍ତି।
ସିବିଆଇ ଏହି ମାମଲାର ତଦନ୍ତ କରୁଥିବାବେଳେ ବିବନକୁ ଧରିପାରିନଥିଲା । ତେବେ ଭୁବନେଶ୍ୱର କମିଶନରେଟ ପୁଲିସ ବିବନକୁ ଧରିବା ପାଇଁ ଜାଲ ବିଛାଇଥିଲା। ଶେଷରେ ବିବନକୁ ବାନ୍ଧି ଓଡ଼ିଶା ଆଣିପାରିଛି ପୁଲିସ। ବିବନ ଜେଲରେ ଥିବାବେଳେ ସିବିଆଇ ମଧ୍ୟ ଚଳଚଞ୍ଚଳ ହୋଇ ଉଠିଛି।