Odisha Link
Bridging the Missing Links in Odisha

ରାଜଧାନୀରେ ହତ୍ୟା: ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ?

ଭୁବନେଶ୍ବର: ଆଇନଶୃଙ୍ଖଳା ଆଗରେ ଅପରାଧୀଙ୍କ ବାଜିମାତ୍, ସାମନ୍ତାରପୁର ପରେ ସିଆରପି ଛକରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଏମିତି ସେମିତି ହତ୍ୟା ନୁହେଁ, ଶହ ଶହ ଲୋକଙ୍କ ସାମ୍ନାରେ ହତ୍ୟାକାଣ୍ଡ ଘଟାଇଲେ ଦୁଇଭାଇ। ଏକ ପିକଅପ ଭ୍ୟାନ ଭିତରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ମାରଣାସ୍ତ୍ରରେ ଭୁଷି ଚାଲିଥିଲେ ହତ୍ୟକାରୀ। ଯେଉଁ କାରଣରୁ କିଛି କ୍ଷଣ ପାଇଁ ବଦଳି ଯାଇଥିଲା ରାଜରାସ୍ତାର ଦୃଶ୍ୟପଟ, ରଜପଥ ପରିବର୍ତ୍ତେ ପାଲଟି ଯାଇଥିଲା କୁରୁକ୍ଷେତ୍ର। ଘଟଣା ଏପରି ଥିଲା ଯେ, ସାଧାରଣ ଲୋକବି ଆଇନକୁ ହାତକୁ ନବାକୁ ପଛାଇ ନଥିଲେ ପିସିଆର ଭିତରୁ ଟାଣିଆଣିଥିଲେ ଅପରାଧୀକୁ ଆଉ ମାରିଥିଲେ ନିସ୍ତୁକ ମାଡ଼।

ତେବେ ରାଜଧାନୀର ଛାତି ଉପରେ ଏହି ଛାତିଥରା ହତ୍ୟାକାଣ୍ଡ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି। ଗୋଟିଏ ପଟେ ଗୁୁରୁତର ଅବସ୍ଥାରେ ହସପିଟାଲରେ ଯୁବକ ଟୁକୁନାଙ୍କ ମୃତ୍ୟୁ ହୋଇଥିବାବେଳେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଥିବା ୨ ଅଭିଯୁକ୍ତଙ୍କୁ ପିସିଆର ଭ୍ୟାନରୁ ଟାଣିକି ମାରିବା ଉପରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୧୨ଟା ବେଳେ ହଠାତ୍ ସିଆରପି ଛକ ରାସ୍ତାମଝିରେ ଅଟକିଥିଲା ପିକଅପ ଭ୍ୟାନ୍। ଯାହାର ନମ୍ବର ଥିଲା ଓଡି-୦୨-ବିଏନ-୧୨୩୧ । କଣ ଘଟିଛି ବୋଲି ଭାବି ଲୋକେ ଗାଡିପାଖକୁ ଗଲାପରେ ଆଖି ସାମ୍ନାରେ ହତ୍ୟାର ଦୃଶ୍ୟ ଦେଖି ହୋସ ଉଡିଯାଇଥିଲା । ଦୁଇଭାଇ ଅନ୍ୟ ଜଣେ ଯୁବକଙ୍କୁ ଗାଡ଼ି ଭିତରେ ମାଡବସି ମାରଣାସ୍ତ୍ରରେ ଭୁଷି ଚାଲିଥିଲେ ।

ପ୍ରକଶ ଯେ, ସାଲିଆସାହି ବସ୍ତିରେ ରହୁଥିବା ୩ ଯୁବକଙ୍କ ଭିତରେ ପୂର୍ବରୁ ବଡଧରଣର ଶତ୍ରୁତା ରହିଥିଲା। ଅଭିଯୁକ୍ତର ସମ୍ପର୍କୀୟଙ୍କ ସହିତ ମୃତ ଯୁବକଙ୍କ ପ୍ରେମ ଓ ବ୍ଲାକମେଲିଂ ଘଟଣା ଏହି ମର୍ଡର ପଛର ମୁଖ୍ୟ କାରଣ ବୋଲି କହିଛନ୍ତି ମୃତ ବ୍ୟକ୍ତିଙ୍କ ବନ୍ଧୁ।

ତେବେ ସବୁପରେ, ଦିନ ଦ୍ୱିପହରରେ ଏଭଳି ଘଟଣା ଘଟୁଥିବାବେଳେ ରାତିର ଅନ୍ଧାରରେ ସାଧାରଣ ଲୋକେ କେତେ ସୁରକ୍ଷିତ ସେନେଇ ପ୍ରଶ୍ନ ଉଠିଛି । ତା ସହିତ ପୁଲିସ ସାମ୍ନାରେ କାହା ସାହସରେ ଲୋକେ ଆଇନକୁ ହାତକୁ ନେଲେ ତାକୁ ନେଇ ମଧ୍ୟ ବଡ ପ୍ରଶ୍ନ ଠିଆ ହୋଇଛି।

Comments are closed.