Odisha Link
Bridging the Missing Links in Odisha

ଚାଷୀ ଆନ୍ଦୋଳନକୁ ୧୦୦ ଦିନ, ଦାବି ପୂରଣ ନହେଲା ଯାଏ ପଛଘୁଞ୍ଚା ଦବନି ସଂଗଠନ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଶହେ ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ। ଏହି ଅବସରରେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନରତ ଚାଷୀ କେନ୍ଦ୍ର ସରକାରଙ୍କ ବିରୋଧରେ ନିଜର ଅସନ୍ତୋଷ ପ୍ରଦର୍ଶନ କରିଛନ୍ତି। ଆଜି କୁଣ୍ଡଲି, ମାନେସର-ପାଲୱାଲ ଏକ୍ସପ୍ରେସ ୱେରେ ୫ ଘଣ୍ଟିଆ ରାଜପଥ ଅବରୋଧ ଫଳରେ ଗମନାଗମନ ଠପ୍ ହୋଇଯାଇଥିଲା। ହରିୟାଣାର ୱେଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେକୁ ଚାଷୀ ଘେରିଥିଲେ। ରାସ୍ତା ଉପରେ ଠିଆ ହୋଇ ହଜାର ହଜାର ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏହି ସମୟରେ ସେମାନଙ୍କର ଗୋଟିଏ ଦାବି ଥିଲା ଯେ, ନୂଆ କୃଷି ଆଇନ ପ୍ରତ୍ୟାହାର ନହେଲେ ଆଗକୁ ଆନ୍ଦୋଳନ ତେଜିବ।

ଠିକ୍ ହରିୟାନାର ସୋନିପଥର ରାସ୍ତା ଉପରେ ଚାଷୀ ପ୍ରତିବାଦ ଯାତ୍ରା କରିଥିଲେ। ହାତରେ ପତାକା ଓ ମୁହଁରେ ନାରା ନେଇ କେନ୍ଦ୍ର ସରକାରଙ୍କ ନୂଆ କୃଷିନୀତି ପ୍ରତ୍ୟାହାର ଦାବିରେ ଚାଷୀ ଏଠାରେ ପେରିଫେରାଲ ଏକ୍ସପ୍ରେସୱେ ଅବରୋଧ କରି ରାଜପଥ ଉପରେ ବସିଥିଲେ।

ସେହିପରି ହରିୟାଣାର କୁଣ୍ଡଲିରେ ମଧ୍ୟ ଚାଷୀ ପ୍ରତିବାଦ କରିଛନ୍ତି। ଏହାସହ ୟୁପିର ଗୌତମବୁଦ୍ଧନଗର ଦେଇ ଆସିଥିବା ଏକ୍ସପ୍ରେସହାଇୱେରେ ମଧ୍ୟ ଚାଷୀ କରିଛନ୍ତି ଅବରୋଧ। ଚାଷୀଙ୍କୁ ଅଟକାଇବାକୁ ପୋଲିସ ରାସ୍ତା ଉପରେ ବ୍ୟାରିକେଡ୍ ଲଗାଇବାକୁ ବାଧ୍ୟ ହୋଇଥିଲା।

ସେପଟେ ଚାଷୀ ଆନ୍ଦୋଳନକୁ ଟୁଇଟ୍ କରି ସମର୍ଥନ ଜଣାଇଛନ୍ତି ରାହୁଲ ଗାନ୍ଧି। ରାହୁଲ ଟୁଇଟ୍ କରିଛନ୍ତି , ଯାହାର ପୁଅ ସୀମାରେ ଦେଶର ସୀମାରେ ଦେଶ ପାଇଁ ଜୀବନ ଦେଉଛି, ସେମାନଙ୍କ ପାଇଁ ଦିଲ୍ଲୀ ସୀମାରେ ସରକାର କଣ୍ଟା ବିଛାଇ ଦେଇଛନ୍ତି। ଚାଷୀ ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର ନଜର ଦେଉନଥିବାରୁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ।

ମୋଦି ସରକାର ଚାଷୀ ଆନ୍ଦୋଳନକୁ ଏକ ଆନ୍ଦୋଳନରେ ପହଁଚାଇ ଦେଲେଣି। ଆଗକୁ କେନ୍ଦ୍ର ସରକାର ଏହାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ବିରୋଧୀ। ଗତ ଡିସେମ୍ୱର ମାସରୁ ଦିଲ୍ଲୀ ସୀମାରେ ଜୋର ଧରିଛି ଚାଷୀ ଆନ୍ଦୋଳନ। ହଜାର ହଜାର ଚାଷୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରେ ଅଡି ବସିଛନ୍ତି।

ରାଜପଥ ଉପରେ ଖରା–ବର୍ଷା-ଶୀତ ସବୁକୁ ସାମ୍ନା କରି ନିଜ ଦାବିରେ ଅଟଳ ଅଛନ୍ତି ଚାଷୀ। ଗତ ଜାନୁଆରୀ ୨୬ ଲାଲକିଲ୍ଲା କାଣ୍ଡକୁ ବାଦ ଦେଲେ ସେଭଳି ଅନ୍ୟ କୌଣସି ଘଟଣା ସାମ୍ନାକୁ ଆସିନି। ତେବେ ଦାବି ପୂରଣ ନହେଲା ଯାଏ, ଚାଷୀ ସଂଗଠନ ପଛକୁ ହଟିବାର ନାହିଁ ବୋଲି ସ୍ପଷ୍ଟ କରିଛି।

Comments are closed.