Odisha Link
Bridging the Missing Links in Odisha

ପାରାଦୀପରେ ପ୍ରତିଷ୍ଠା ହେବ ବିଶାଳ ପ୍ଲାଷ୍ଟିକ ପାର୍କ, ଖର୍ଚ୍ଚ ହେବ ୧୦୬ କୋଟି ଟଙ୍କା

ଭୁବନେଶ୍ୱର: ପାରାଦୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ। ଏନେଇ ଆଜି ଇଣ୍ଡିଆନ ଅଏଲ୍ ଓ ଇଡକୋ ମଧ୍ୟରେ ଏମଓୟୁ ସ୍ୱାକ୍ଷର ହୋଇଛି। ଆୟୋଜିତ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

୧୦୬ କୋଟି ଟଙ୍କା ବିନିଯୋଗରେ ୧୨୦ ଏକର ଜମିରେ ଏହି ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ ନିର୍ମାଣ ହେବ। ଏହି ଡାଉନଷ୍ଟ୍ରିମ୍ ପ୍ଲାଷ୍ଟିକ୍ ଶିଳ୍ପ ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳ ଭାରତରେ ପ୍ରଥମ। ଏହି ପ୍ଲାଷ୍ଟିକ୍ ପାର୍କରେ ପାରାଦୀପ ବିଶୋଧନାଗାରରେ କମ୍ପ୍ଲେକ୍ସରୁ ଉତ୍ପାଦିତ ପଲିପ୍ରୋପିଲିନ ଓ ଇଥାଇଲିନର ବ୍ୟବହାର କରାଯିବ।

ଏହି ପ୍ଲାଷ୍ଟିକ୍ ପାର୍କ କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଇଓସିଏଲ-ଇଡକୋ ମଧ୍ୟରେ ପାରାଦୀପରେ ପ୍ଲାଷ୍ଟିକ ପାର୍କ ସ୍ଥାପନ ନେଇ ଏମଓୟୁ ସ୍ୱାକ୍ଷର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି।

ପାରାଦୀପ ପ୍ଲାଷ୍ଟିକ ପାର୍କ ଲାଗି ରାଜ୍ୟ ସରକାର ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଇସିଓଏଲର ପେଟ୍ରୋଲିୟମ ଓ ପେଟ୍ରୋ କେମିକାଲ୍ ପ୍ରକଳ୍ପ ଲାଗି ସମସ୍ତ ସହଯୋଗ ରାଜ୍ୟ ଯୋଗାଇ ଦିଆଯିବ। ଡାଉନ୍ ଷ୍ଟ୍ରିମ୍ ପଲିମରକୁ ପାରାଦୀପ ପ୍ଲାଷ୍ଟିକ ପାର୍କ ଭଲ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଏମଓୟୁ ସ୍ୱାକ୍ଷର ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ୮୦ଟି ଇଣ୍ଡଷ୍ଟ୍ରିଆଲ୍ ୟୁନିଟ୍ ପାଇଁ ପ୍ଲାଷ୍ଟିକ ପାର୍କ ନିର୍ମାଣ ହେବ। ଆଇଓସି ପ୍ରାୟ ୪୦ କୋଟି ଟଙ୍କା ଖର୍ଚ୍ଚ କରି ଏକ ଡେଭଲପମେଣ୍ଟ ସେଣ୍ଟର ତିଆରି କରିଛି। ଏହା ଶିଳ୍ପକୁ ଜ୍ଞାନକୌଶଳ ଯୋଗାଇବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

Comments are closed.