Odisha Link
Bridging the Missing Links in Odisha

ବାଣ ତିଆରି ବେଳେ ଅଘଟଣ, ବିସ୍ଫୋରଣରେ ଉଡ଼ିଗଲା ଛାତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନା ପଙ୍ଗାରସିଂହ ଗ୍ରାମରେ ବେଆଇନ ବାଣ ତିଆରି ବେଳେ ପ୍ରବଳ ବିସ୍ଫୋରଣ ହୋଇଛି। ଏଥିରେ ୩ଜଣ ମହିଳାଙ୍କ ସମେତ ମୋଟ ୪ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ଘରେ ବାଣ ଭିଡୁଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା।

ସୂଚନାଯୋଗ୍ୟ ଯେ, ଆଗକୁ ଦୋଳଯାତ୍ରା ଥିବାରୁ ଏବେ ଗାଁ ଗାଁରେ ବାଣ ତିଆରି ଆରମ୍ଭ ହୋଇଛି। ଆଜି ସଂଧ୍ୟାରେ ପଙ୍ଗାରସିଂହ ଗ୍ରାମର ଶେକ ସୋରାବ ଖାଁଙ୍କ ଘରେ ଦୋଳଯାତ୍ରା ପାଇଁ ବେଆଇନ ଭାବେ ଗଛବାଣ, ତୋପ,ଛୋଟ ବମ ତିଆରି ଚାଲୁଥିବା ବେଳେ ଅଚାନକ ବିସ୍ପୋରଣ ଘଟିଥିଲା ।

ବିସ୍ପୋରଣ ଏତେ ତୀବ୍ରଥିଲା ଯେ ତାଙ୍କ ୨ବଖରା ଘରର ଆଜବେଷ୍ଟସ ଉଡିଯିବା ସହିତ ୪ଜଣ ଗୁରୁତର ହୋଇଥିଲେ। ତୁରନ୍ତ ସେମାନଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ୱର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିରେ ସୁକୁଟା ବିବି, ରୁକୁସାନ ବିବି, ଫାତୁଲାନା ବିବି ଏବଂ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଖୋର୍ଦ୍ଧା ଏସପି ରାଜ କିଶୋର ଦୋରା,ଏସଡିପିଓ ସୁଶିଲ ମିଶ୍ର ପହଂଚି ତଦନ୍ତ ଆରମ୍ଭ କରିଛନ୍ତି

ପ୍ରକାଶ ଯେ, ପୂର୍ବରୁଗତ ଦୀପାବଳି ସମୟରେ ଶେକ ସୋରାବ ଖାଁ ବେଆଇନ ଭାବେ ବାଣ ତିଆରି କରିବା ଘଟଣାରେ ଜେଲଯାଇଥିଲେ। ବିବାହ, ବ୍ରତ ହେଉ ଅବା ଯାନି ଯାତ୍ରା ସବୁଠି ବାଣର ଚାହିଦା ରହିଛି। ଏହି ବାଣର ଆବଶ୍ୟକତାକୁ ନେଇ କେତେକ ଅସାଧୁ ବ୍ୟକ୍ତିମାନେ ବେଆଇନ ଭାବେ ବାଣ ତିଆରି କରି ବେଗୁନିଆ ବ୍ଲକ ଅଂଚଳ ସହିତ ଜଟଣୀ,କଳାପଥର,ଖୋର୍ଦ୍ଧା ଆଦି ଅଞ୍ଚଳକୁ ବାଣ ପଠାଇ ଲକ୍ଷ ଲକ୍ଷ ଟଙ୍କା ଲାଭବାନ ହେଉଛନ୍ତି।

ବେଗୁନିଆ ବ୍ଲକ ଅଂଚଳର ପଙ୍ଗାରସିଂହ,ଲେଖନପୁର ,କଣ୍ଟାବାଡ, ସିକୋ ଆଦି ଗ୍ରାମରେ ବେଆଇନ ଭାବେ ବାଣ ତିଆରି କାରଖାନା ଚାଲୁଛି । ପୂର୍ବରୁ ବାଣ ତିଆରି ବେଳେ ଅଘଟଣ ଘଟି ସିକୋରେ ୬ଜଣ,ଲେଖନପୁରରେ ଜଣେ, ପଙ୍ଗାରସିଂହରେ ଜଣେ ମୃତାହତ ହୋଇଥିବା ବେଳେ ବିଗତ ବର୍ଷ କଣ୍ଟାବାଡରେ ବାଣ ବିସ୍ପୋରଣ ଘଟି ଛାତଘର ଭାଙ୍ଗି ପଡିଥିଲା।

ଅଂଚଳରେ ବାଣ ତିଆରି କାରଖାନା ବର୍ଷତମାମ ଚାଲୁଥିବା ବେଳେ ବାଘମାରୀ ଏବଂ ବେଗୁନିଆ ପୁଲିସ ଦୁର୍ଘଟଣା ଘଟିଲେ ଚଳଚଞ୍ଚଳ ହୋଇଥାଏ ବୋଲି ସାଧାରଣରେ ଆଲୋଚନା ହେଉଛି। ବାଣ ତିଆରିକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବା ବେଳେ ଅଭିଯୋଗ ହେଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାର ଦୁର କଥା ବଂର ପୁଲିସ ସବୁ ଜାଣି ନଜାଣିବାର ଅଭିନୟ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Comments are closed.