Odisha Link
Bridging the Missing Links in Odisha

ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ହଇଚଇ, ଅନିଲ ଦେଶମୁଖଙ୍କ ସପକ୍ଷରେ ବାହାରିଲେ ଶରଦ ପାୱାର

ନୂଆଦିଲ୍ଲୀ: ବରିଷ୍ଠ ପୁଲିସ ଅଧିକାରୀଙ୍କ ଚିଠିକୁ ନେଇ ହଇଚଇ ମହାରାଷ୍ଟ୍ରରେ ଖେଳିଯାଇଛି। ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବଟି ଆଦାୟ ଅଭିଯୋଗରେ ବିଜେପି ରାଜ୍ୟ ସରକାରଙ୍କୁ ଘେରିିଛି। ଏବେ କଥା ସଂସଦ ପହଞ୍ଚିଲାଣି।

ସେପଟେ ଅନିଲ ଦେଶମୁଖଙ୍କ ସପକ୍ଷରେ ବାହାରିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗରେ ଦମ୍ ନାହିଁ ଏବଂ ସେ ଇସ୍ତଫା ଦେବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ତେବେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଯେଉଁ ସମୟ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସେହି ସମୟ ଅର୍ଥାତ ଫେବୃଆରୀ ୫ରୁ ୧୫ ପର୍ଯ୍ୟନ୍ତ ଅନିଲ ଡାକ୍ତରଖାନାରେ ଓ ୧୬ରୁ ୨୭ ତାରିଖ ଯାଏଁ ହୋମ ଆଇସୋଲେସନରେ ଥିଲେ ତେଣୁ ଏହି ସମୟରେ ସଚିନ ୱାଜେ ଓ ଅନୀଲ ଦେଶମୁଖଙ୍କ ବୈଠକ ଅଭିଯୋଗରେ କୌଣସି ସତ୍ୟତା ନଥିବା କହିଛନ୍ତି ଶରଦ ପାୱାର।

ତେବେ ଏହି ପ୍ରସଙ୍ଗରେ ବିଜେପି ମହାରାଷ୍ଟ୍ର ସରକାରକୁ ଘେରିଛି। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛି ଦଳ ଓ ଶରଦଙ୍କ ବୟାନକୁ ଖଣ୍ଡନ କରିଛି। ବିଜେପି ଆଇଟି ସେଲ ମୁଖ୍ୟ ଅମିତ ମାଲବୀୟ ଟୁଇଟ କରି କହିଛନ୍ତି ଯେ ଫେବୃଆରୀ ୧୫ ତାରିଖରେ ଅନିଲ ଦେଶମୁଖ ସାମ୍ବାଦିକ ସମ୍ମିଳନୀ କରିଥିଲେ।

ଏହାପରେ ନିଜେ ଅନିଲ ଦେଶମୁଖ କହିଛନ୍ତି ସେ ଡାକ୍ତରଖାନାରୁ ବାହାରିବେ ମାତ୍ରେ ସେଠାରେ ଅପେକ୍ଷାରେ ଥିବା କିଛି ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେବା ପରେ ସେ ସେଠାରୁ ଚାଲିଯାଇ ହୋମ ଆଇସୋଲେସନରେ ରହିଥିଲେ। ଏହି ପ୍ରସଙ୍ଗ ଏବେ ସଂସଦ ଯାଏଁ ପହଞ୍ଚିଛି। ଲୋକସଭାରେ ସାଂସଦ ନବନୀତ ରବି ରାଣା ପ୍ରଶ୍ନ କରିଛନ୍ତି ଯେ, ୧୬ବର୍ଷ ଧରି ନିଲମ୍ବିତ ଥିବା ଜଣେ ଅଧିକାରୀଙ୍କୁ କେଉଁ ଭିତ୍ତିରେ ପୁନଃ ଅବସ୍ଥାପିତ କରାଯାଇଥିଲା।

ତେଣୁ ସ୍ଥିତି ଏପରି ହୋଇଛି ଯେ ଏବେ ମହାରାଷ୍ଟ୍ର ମହାବିକାଶ ଅଘାଡି ମେଣ୍ଟରେ ଫାଟ ସୃଷ୍ଟି ହେବାକୁ ବସିଲାଣି। ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂ ଶହେ କୋଟି ଟଙ୍କା ବଟି ଆଦାୟ ନିର୍ଦ୍ଦେଶ ଅଭିଯୋଗ ପରେ ତାଙ୍କ ମନ୍ତ୍ରୀ ପଦ ବିପଦରେ ପଡ଼ିଛି।

Comments are closed.