Odisha Link
Bridging the Missing Links in Odisha

ଆଜି ବିଶ୍ୱ ଜଳ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଜଳ ଦିବସ। ଜଳ ହିଁ ଜୀବନ, ଜଳ ବିନା ଜୀବଜଗତ ଅସମ୍ଭବ। ଜାତି ସଂଘର ଅନୁମୋଦନ କ୍ରମେ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖକୁ ବିଶ୍ବ ଜଳ ଦିବସ ରୂପେ ପାଳନ କରାଯାଏ। ବିଶ୍ବର ସମସ୍ତ ବିକଶିତ ଦେଶରେ ସ୍ୱଚ୍ଛ ଏବଂ ସୁରକ୍ଷିତ ଜଳ ଉପଲବ୍ଧ କରାଇବା ସହ ଜଳ ସଂରକ୍ଷଣର ମହତ୍ତ୍ୱ ତଥା ଆବଶ୍ୟକତା ବିଷୟରେ ଜନ ସଚେତନତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ।

ପ୍ରଥମ ଥର ପାଇଁ ୧୯୯୨ ମସିହାରେ ବ୍ରାଜିଲ ସ୍ଥିତ ରିଓ ଡି ଜେନିରୋଠାରେ ମିଳିତ ଜାତିସଂଘର ଆୟୋଜିତ “ପର୍ଯ୍ୟାବରଣ ଓ ବିକାଶ ସମ୍ମେଳନ”ରେ ବିଶ୍ୱ ଜଳ ଦିବସ ପାଳନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା। ପରେ ପୁଣି ମିଳିତ ଜାତିସଂଘର ସାଧାରଣ ସଭାରେ ୧୯୯୩ ମସିହାରେ ଏହି ନିଷ୍ପତ୍ତି ଅନୁମୋଦନ ଲାଭ କଲା। ସ୍ୱଚ୍ଛ ତଥା ସୁରକ୍ଷିତ ଜଳର ଆବଶ୍ୟକତା ବିଷୟରେ ଜନ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟରେ ଏହି ଦିନଟିକୁ ପ୍ରତିବର୍ଷ କାର୍ଯ୍ୟକ୍ରମ ଭାବେ ପାଳିବାକୁ ସର୍ବ ସମ୍ମତି କ୍ରମେ ଗୃହିତ ହେଲା।

ଜଳ ହିଁ ଜୀବଜଗତର ସତ୍ତା ମାତ୍ର ଜଳ ଅନେକ ସମୟରେ ଅଯଥା ବ୍ୟବହାର, ଆଗାମୀ ପିଢୀ ପାଇଁ ବିପଦ ସୃଷ୍ଟି କରିବାକୁ ଯାଉଛି। ତେଣୁ ମାନବଜାତିର ଭବିଷ୍ୟତ ପାଇଁ ଜଳ ନଷ୍ଟ କରିବା ଅନୁଚିତ।କୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଉଲେଖନୀୟ। କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଣ ଜଳ ସମ୍ପଦର ବହୁଳ ଆବଶ୍ୟକତା ରହିଛି। ପୃଥିବୀର ଅଧୁକାଂଶ ଗରିବ ରାଷ୍ଟ୍ରରେ ଉତ୍କଟ ଜଳାଭାବ ସେମାନଙ୍କର ଶିଳ୍ପ ସମୃଦ୍ଧିପାଇଁ ଏକ ପ୍ରତିବନ୍ଧକ ଭାବେ ଦେଖାଦେଇଛି।

ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଶ୍ବ, ଦେଶ ଓ ରାଜ୍ୟରେ ଜଳ ସଙ୍କଟ ଦେଖାଦେଲାଣି। ପାନୀୟ ଜଳ ବ୍ୟବହାର ଉପଲବ୍ଧିକୁ ଦେଖିଲେ ୨୦୫୦ ବେଳକୁ ଦେଶ ତଥା ରାଜ୍ୟରେ ଜଳ ସଙ୍କଟ ଦେଖାଦେବ। ଆମ ରାଜ୍ୟର ଅନେକ ଅଞ୍ଚଳରେ ମଧ୍ୟ ପାନୀୟ ଜଳର ସଙ୍କଟ ଦେଖାଦେଲାଣି।

Comments are closed.