Odisha Link
Bridging the Missing Links in Odisha

ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ କାହାଣୀକୁ ନେଇ ୱେବ୍ ସିରିଜ୍‌ “ଷ୍ଟାର୍ଟଅପ୍ ଷ୍ଟୋରି”‌

ଭୁବନେଶ୍ୱର: ଦେଶ ବିଦେଶରେ ନାଁ କରିଥିବା ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସ୍ୱପ୍ନ, ସଂଘର୍ଷ ଓ ସଫଳତାର କଥାକୁ ନେଇ ଆରମ୍ଭ ହେଉଛି ୱେବ୍ ସିରିଜ୍ “ଷ୍ଟାର୍ଟଅପ୍ ଷ୍ଟୋରି”। ଏହି “ଷ୍ଟାର୍ଟଅପ୍ ଷ୍ଟୋରି” ସାକ୍ଷାତକାରର ଉପସ୍ଥାପକ ଅଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ। ଏପ୍ରିଲ ୧ରେ “ଷ୍ଟାର୍ଟଅପ୍ ଷ୍ଟୋରି”ର ପ୍ରଥମ ଅଧ୍ୟାୟ ଓଡ଼ିଶାଲାଇଭର ଫେସବୁକ୍ ଏବଂ ୟୁଟ୍ୟୁବ ଚ୍ୟାନେଲରେ ପ୍ରକାଶିତ ହେବ।

ଏଥରର ଅତିଥି ହେଉଛନ୍ତି “ନେଷ୍ଟ ଆୱେ’ କମ୍ପାନିର ସହ ପ୍ରତିଷ୍ଠାତା ଅମରେନ୍ଦ୍ର ସାହୁ। ଏହି ଯୁବ ଓଡ଼ିଆ ଉଦ୍ୟୋଗୀଙ୍କ ଷ୍ଟାର୍ଟଅପ୍ ଯାତ୍ରାର କାହାଣୀ ଭିଡିଓରେ ବେଶ୍ ସୁନ୍ଦର ଭାବେ ଫୁଟି ଉଠିଛି। ପ୍ରତି ମାସ ୧ ତାରିଖରେ ଓଡ଼ିଶାଲାଇଭରେ ପ୍ରସାରିତ ହେବ ଜଣେ ଜଣେ ସଫଳ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କ ସହ ସାକ୍ଷାତକାର। ଏହି ଭିଡିଓଗୁଡ଼ିକ ଯୁବ ଉଦ୍ୟୋଗୀ, ଷ୍ଟାର୍ଟଅପ୍ କମ୍ପାନି, ଛାତ୍ରଛାତ୍ରୀ ଏବଂ ଉଦ୍ୟୋଗ ବିକାଶରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ସୂଚନା ଓ ପ୍ରେରଣା ହେବ।

“ଷ୍ଟାର୍ଟଅପ୍ ଷ୍ଟୋରି’ ପଛର ପ୍ରମୁଖ ଆକର୍ଷଣ ହେଉଛନ୍ତି ଆଧୁନିକ ଶିଳ୍ପ ଜଗତରେ ଯୁବପିଢ଼ିର ପ୍ରେରଣା ସୁବ୍ରତ ବାଗ୍‌ଚୀ। ପ୍ରତିଥର ସେ ଜଣେ ନୂଆ ଓଡ଼ିଆ ଷ୍ଟାର୍ଟଅପ୍ ପ୍ରତିଷ୍ଠାତାଙ୍କୁ ଖୋଜିବା ସହିତ ସାକ୍ଷାତକାର ବେଳେ ସେମାନଙ୍କ ଜୀବନ କାହାଣୀକୁ ସୁନ୍ଦର ଭାବେ ଆବିଷ୍କାର କରିବାକୁ ପ୍ରୟାସ କରୁଛନ୍ତି।

ଅନେକ ମଣିଷଙ୍କ ଭିତରେ ଜଣେ ଉଦ୍ୟୋଗୀ ମନୋଭାବ ରହିଛି। ଏପରିକି ଜଣେ ସଫଳ ଉଦ୍ୟୋଗୀ ହେବାର ଅନେକ ସମ୍ଭାବନା ମଧ୍ୟ ରହିଛି। କିନ୍ତୁ ଛୋଟ ମଞ୍ଜିରୁ ଦିନେ ବିଶାଳ ଗଛଟିଏ ହେବା ପରି ଷ୍ଟାର୍ଟଅପରୁ ଏକ ସଫଳ କମ୍ପାନିରେ ପରିଣତ ହେବା ଏକ ଲମ୍ବା ତଥା ଜଟିଳ ଯାତ୍ରା। “ଷ୍ଟାର୍ଟଅପ୍ ଷ୍ଟୋରି”ରେ ଆମେ ଯୁବ ଓଡ଼ିଆ ଉଦ୍ୟୋଗୀମାନଙ୍କ ସେହି ସ୍ୱପ୍ନ ଓ ସଂଘର୍ଷର କାହାଣୀ ଖୋଜି ଅନ୍ୟମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିବୁ ବୋଲି ୱେବ୍ ସିରିଜ୍‌ର ପ୍ରସାରଣ ଅବସରରେ କହିଛନ୍ତି ସୁବ୍ରତ ବାଗ୍‌ଚୀ।

Comments are closed.