ତତଲା କଡେଇରେ ସିଝୁଛି ଓଡ଼ିଶା, ବାରିପଦାରେ ତାପମାତ୍ରା ୪୪.୬ ଡିଗ୍ରୀ

ଭୁବନେଶ୍ୱର: ତତଲା କଡେଇରେ ସିଝୁଛି ଓଡ଼ିଶା। ପ୍ରଚଣ୍ଡ ଖରାରେ ରାଜ୍ୟବାସୀ ଆଉଟୁପାଉଟୁ। ଏହାରି ମଧ୍ୟରେ ଆଜି ରାଜ୍ୟର ୧୬ଟି ସହର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଏଥିସହ ୪୪.୬ ଡିଗ୍ରୀ ସହ ବାରିପଦା ଆଜିର ସବୁଠୁ ଉତ୍ତପ୍ତ ସହର ପାଲଟିଛି।
ତାଳଚେର ୪୨.୭, ବୌଦ୍ଧ ୪୨.୫, ବଲାଙ୍ଗିର ୪୨.୨, ଟିଟିଲାଗଡ଼ ୪୨, ଅନୁଗୁଳ ୪୧.୯, ସୋନପୁର ୪୧.୮, ବାଲେଶ୍ୱର ୪୧.୪ ,କଟକ ୪୦.୫ ଏବଂ ଭୁବନେଶ୍ୱର ୩୯.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
ଅନ୍ୟପଟେ ରାଜ୍ୟରେ ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦିନ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇପାରେ। ଗ୍ରୀଷ୍ମ ପ୍ରବାହ ନେଇ ଏପ୍ରିଲ ୨ ଯାଏଁ ୨୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର।