କରୋନା: ରାଜଧାନୀ ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ବିଏମସି, ଆହୁରି କଡ଼ାକଡ଼ି ହେବ କଟକଣା
ଏଣିକି ବିବାହ ଉତ୍ସବରେ କେବଳ ଶହେ ଲୋକ ଏକାଠି ହୋଇପାରିବେ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ଭୁବନେଶ୍ବର ମହାନଗର ନିଗମ ଜାରି କରିଛି ନୂଆ ଗାଇଡଲାଇନ୍। ବିଏମସି ପକ୍ଷରୁ ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ ଏଣିକି ବିବାହ ଉତ୍ସବରେ କେବଳ ଶହେ ଲୋକ ଏକାଠି ହୋଇପାରିବେ। ଏଥିସହିତ ଅନ୍ତ୍ୟେଷ୍ଟି କ୍ରିୟାରେ ୫୦ ଲୋକ ସାମିଲ ହୋଇପାରିବେ।
ବିଏମସି ଗାଇଡଲାଇନରେ ଆହୁରି ଉଲ୍ଲେଖ କରିଛି ଯେ, ସାମାଜିକ ଉତ୍ସବ ଓ କାର୍ଯ୍ୟକ୍ରମ ସହିତ ଶତବାରର୍ଷିକୀ କିମ୍ବା ବାର୍ଷିକ ଉତ୍ସବ ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ମିଳିବ ନାହିଁ। ଶିକ୍ଷାନୁଷ୍ଠାନରେ ମଧ୍ୟ କୌଣସି ଉତ୍ସବକୁ ଅନୁମତି ଦିଆଯିବ ନାହିଁ।
ଏହା ବାଦ ଯଦି କେହି କୌଣସି କାର୍ଯ୍ୟକ୍ରମର ଆୟୋଜନ କରୁଥିବେ, ତେବେ ସେଥିପାଇଁ ବିଏମସିଠାରୁ ଅନୁମତି ନେବେ ଏବଂ ସେଥିରେ ଶହେରୁ ଅଧିକ ଲୋକ ଭାଗ ନେଇପାରିବେ ନାହିଁ। ଏଥିସହିତ ୬ ତାରିଖ ପରେ ହେବାକୁ ଥିବା କୌଣସି କାର୍ଯ୍ୟକ୍ରମକୁ ଯଦି ପୂର୍ବରୁ ଅନୁମତି ଦିଆଯାଇଛି ତେବେ ସେଥିରେ ପରିବର୍ତ୍ତନ କରାଯିବ। ଏଥିପାଇଁ କୌଣସି ଅଲଗା ନିର୍ଦ୍ଦେଶନାମା ଦିଆଯିବ ନାହିଁ।
ଅପରପକ୍ଷେ ବିଏମସି ପକ୍ଷରୁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇଛି। କୋଭିଡ ନିୟମ ପାଳନ କରୁନଥିବାରୁ କିଛି ଦୋକାନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କରୋନା ଗାଇଡଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ବିଶାଲ ମେଗା ମାର୍ଟକୁ ସିଲ କରାଯାଇଛି।