Odisha Link
Bridging the Missing Links in Odisha

ପିପିଲି ପରିବର୍ତ୍ତନରେ କର୍ଣ୍ଣଧାର ସାଜିବେ ମହିଳା: ଡି. ପୁରନ୍ଦେଶ୍ୱରୀ

ପିପିଲି: ଦିନରେ ତାରା ଦେଖିବା ପରି ପିପିଲି-ଡେଲାଙ୍ଗରେ ବିକାଶର ସ୍ଥିତି ରହିଛି। ପିପିଲିବାସୀ ବିକାଶ ଚାହୁଁଛନ୍ତି। ପିପିଲିରେ ପରିବର୍ତ୍ତନ ସୁନିଶ୍ଚିତ। ବିଜେପି ବିଜୟୀ ହେଲେ ପିପିଲିର ବିକାଶ ହେବ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପାଇଁ ଅନେକ ଯୋଜନା କରିଛନ୍ତି। ମାତ୍ର ରାଜ୍ୟ ସରକାର ତାକୁ ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାରେ ବିଫଳ ହୋଇଛନ୍ତି।

ବିଜେଡ଼ି ପ୍ରାର୍ଥୀ ତାଙ୍କ ବାପାଙ୍କର କେଉଁ ଅଧୁରା ସ୍ୱପ୍ନ ପୂରଣ କରିବାକୁ ଚାହୁଁଛନ୍ତି ତାହା ପିପିଲିବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ। ମା’ ଭଉଣୀଙ୍କର ପ୍ରଗତି ଓ ସୁରକ୍ଷା ହେଲା ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ପ୍ରାଥମିକତା। ମହିଳାଙ୍କୁ ଭୋଟ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି ରାଜ୍ୟ ସରକାର। ପିପିଲି ପରିବର୍ତନରେ କର୍ଣ୍ଣଧାର ସାଜିବେ ମହିଳା ବୋଲି ପିପିଲି ନିର୍ବାଚନମଣ୍ଡଳୀ ବୀରପୁରୁଷତମପୁରଠାରେ ଆୟୋଜିତ ମହିଳା ସମାବେଶରେ କହିଛନ୍ତି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ।

ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ବିଜେଡି ଶାସନ କରୁଥିବା ସତ୍ୱେ ପିପିଲି ଅଂଚଳରେ କୌଣସି ବିକାଶମୂଳକ କାର୍ଯ୍ୟ କରିପାରିଲା ନାହିଁ । ସାରା ଦେଶରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି। କିନ୍ତୁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଚାଲିଛି। ପିପିଲି ନିର୍ବାଚନମଣ୍ଡଳୀରେ ବସବାସ କରୁଥିବା ଗରିବ ଅସହାୟ ଲୋକଙ୍କୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯାଇନାହିଁ । ଓଡ଼ିଶା ରାଜ୍ୟ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତା ଅତୁଟ ରହିଛି।

ସେଥିପାଇଁ ସେ ଓଡିଶାକୁ ପ୍ରାଧନ୍ୟ ଦେଇ ଓଡ଼ିଶାର ବିକାଶ ଦିଗରେ କୋଟି କୋଟି ଟଙ୍କାର ଅନୁଦାନ ପ୍ରଦାନ କରୁଛନ୍ତି। କିନ୍ତୁ ଏଠି ବିଜେଡ଼ି ନେତା ଓ କର୍ମୀମାନେ କେନ୍ଦ୍ରୀୟ ଅର୍ଥକୁ ହଡପ କରୁଛନ୍ତି। କେତେ ଦିନ ଧରି ପିପିଲିର ମା’ ଭଉଣୀମାନେ ଏପରି ଅନ୍ୟାୟକୁ ବରଦାସ୍ତ କରିବେ? କେତେ ଦିନ ଧରି ପକ୍କା ଘର ପାଇବାରୁ ବଞ୍ଚିତ ରହିବେ? ଏ ସମସ୍ତ ପ୍ରଶ୍ନ ବିଧାନସଭାରେ ପଚାରିଲେ ରାଜ୍ୟ ସରକାର ଜବାବ ଦେଉ ନାହାଁନ୍ତି। ପିପିଲିର ମା’ ଭଉଣୀମାନେ ଆଗାମୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ବିଜୟୀ କରି ରାଜ୍ୟ ସରକାରଙ୍କୁ ଏହି ପ୍ରଶ୍ନର ଉତର ଦେବେ ବୋଲି ବିଜେପି ବିଧାୟିକା କୁସୁମ ଟେଟେ କହିଛନ୍ତି । ୩୫ ବର୍ଷ ଦୁଇ ଜଣଙ୍କ ଦୁଃଶାସନରେ ପିପିଲି ନିର୍ବାଚନମଣ୍ଡଳୀ ଅବହେଳିତ ହୋଇ ରହିଛି।

ପିପିଲିର ପୂର୍ବତନ ବିଧାୟକ ମା’ ଭଉଣୀମାନଙ୍କୁ ସୁରକ୍ଷା ଦେବା ବଦଳରେ ଭୟଭୀତ କରି ରଖିଥିଲେ। ପରିବାରବାଦ ରାଜନୀତିକୁ ପ୍ରତ୍ୟାଖାନ କରାଯିବାର ଆବଶ୍ୟକତା ରହିଛି। ଅତୀତରେ ପିପିଲିର ଦିବଙ୍ଗତ ବିଧାୟକ ବିଧାନସଭାରେ ବିରୋଧୀ ମହିଳା ବିଧାୟିକାଙ୍କୁ ଅସଭ୍ୟ ଭାଷା କହିବା, ଅଶାଳୀନ ବ୍ୟବହାର କରିବା କାରଣରୁ ପିପିଲିବାସୀ ଅପମାନିତ ହୋଇଛନ୍ତି। ଆଉ ପ୍ରତାରଣାର ଶିକାର ହୁଅନ୍ତୁ ନାହିଁ। ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି ବିଜେଡି ପ୍ରାର୍ଥୀ ଗଳା ଫଟାଇ ଚିତ୍କାର କରୁଛନ୍ତି। ବାପାଙ୍କ ଅଧୁରା ସ୍ୱପ୍ନ କ’ଣ ଦୁଷ୍କର୍ମକାରୀଙ୍କୁ ସମ୍ବର୍ଦ୍ଧିତ କରିବା, ମା’ ଭଉଣୀଙ୍କୁ ଅସମ୍ମାନିତ କରିବା? ଏହି ସ୍ୱପ୍ନକୁ ବିଜେଡି ପ୍ରାର୍ଥୀ ପୂରଣ କରିବେ କି ବୋଲି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ରାଜ୍ୟରେ ବିନା ପିସିରେ କୌଣସି କାର୍ଯ୍ୟ ହେଉନାହିଁ।

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ସ୍ୱଂୟ ସହାୟିକା ଗୋଷ୍ଠୀର ପରିକଳ୍ପନା କରିଥିଲେ। ମାତ୍ର ଶାସକ ବିଜେଡି ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀକୁ ବ୍ୟବହାର କରୁଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୩୫ ବର୍ଷ ପରେ ପିପିଲିରେ ପରିବର୍ତନର ସୁଯୋଗ ଆସିଛି। ଏହାକୁ ହାତଛଡା କରିବା ନାହିଁ ବୋଲି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ସାଧାରଣ ଜନତାଙ୍କ ମୌଳିକ ଅଧିକାର ଯଥା ବାସଗୃହ, ଶୌଚାଳୟ, ପାନୀୟ ଜଳ, ସ୍ୱାସ୍ଥ୍ୟ ସୁବିଧା, ବିଜୁଳୀ ଆଦି ପହଞ୍ଚାଇବା ପାଇଁ ମୋଦି ସରକାର ପ୍ରଚୁର ମାତ୍ରାରେ ଅର୍ଥ ଦେଉଛନ୍ତି । ମୋଦି ସରକାର ଲୋକଙ୍କୁ ଡିବିଟି ମାଧ୍ୟମରେ ଅନେକ ଯୋଜନାର ଅର୍ଥ ପହଞ୍ଚିବ ବାକି ରାଜ୍ୟ ସରକାରଙ୍କ ମାଧ୍ୟମରେ ଆସୁଥିବା ଅର୍ଥକୁ ଶାସକ ବିଜେଡି ବାଟମାରଣା କରୁଛି। ମୋଦି ସରକାର ପଠାଉଥିବା ଅର୍ଥକୁ ନବୀନ ସରକାର ହରିଲୁଟ୍ କରୁଛନ୍ତି ।

ବିଜେପି ସର୍ବଦା ବିକାଶକୁ ପ୍ରାଧନ୍ୟ ଦିଏ। ପିପିଲିର ବିକାଶ ପାଇଁ ବିଜେପିକୁ ବହୁ ମତରେ ସମର୍ଥନ କରିବାକୁ ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି। ଏହି ମହିଳା ସମାବେଶରେ ଉପସଭାନେତ୍ରୀ ଅନୀତା ଶୁଭଦର୍ଶିନୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ପୁରୀ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋତି ମହାପାତ୍ର, ସୁଷମା ବିଶ୍ୱାଳ, ଯାଜ୍ଞସେନୀ ଜେନା, କାନନବାଳା ପଟ୍ଟନାୟକ, ବବିତା ମଲ୍ଲିକ, ସ୍ଥାନୀୟ ନେତା ପ୍ରଦୀପ୍ତ ପାତ୍ର, ସନ୍ତୋଷ ମହାପାତ୍ର, ବିଷ୍ଣୁପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.