Odisha Link
Bridging the Missing Links in Odisha

ପିପିଲି ଗଠନ ପାଇଁ ପିପିଲିବାସୀ ନୀରବ ବିପ୍ଲବରେ ନିଜକୁ ସାମିଲ କରିସାରିଲେଣି: ସମୀର

ପିପିଲି: ଦୀର୍ଘ ୩୫ ବର୍ଷର ଶାସନ ପରେ ବି ପିପିଲି-ଡେଲାଙ୍ଗରେ ଆଖିଦୃଶିଆ ବିକାଶ ହୋଇନାହିଁ। ରାଜ୍ୟ ରାଜଧାନୀ ଠାରୁ ମାତ୍ର ୨୫ କିମି ଦୂରରେ ଥିବା ପିପିଲି ନିର୍ବାଚନମଣ୍ଡଳୀରେ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ। ପିପିଲି ଡେଲାଙ୍ଗବାସୀ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ ରହୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବିକାଶରେ ଅନୁପ୍ରାଣିତ ହୋଇ ପିପିଲିବାସୀ ପରିବର୍ତ୍ତନ ମୁହାଁ ହୋଇଛନ୍ତି। ନୂଆ ପିପିଲି ଗଠନ ପାଇଁ ପିପିଲିବାସୀ ନୀରବ ବିପ୍ଲବରେ ନିଜକୁ ସାମିଲ କରିସାରିଲେଣି । ପିପିଲିବାସୀ ବିଜେପିକୁ ବିଜୟୀ କରାଇବେ ଏବଂ ଆଗାମୀ ୨୦୨୪ ନିର୍ବାଚନର ରୋଡମ୍ୟାପ ପିପିଲି ଡେଲାଙ୍ଗ ମାଟିରୁ ଆରମ୍ଭ ହେବ ବୋଲି ରାଜ୍ୟ ସଭାପତି ସମୀର ମହାନ୍ତି ପିପିଲି ଉପନିର୍ବାଚନ ପ୍ରଚାର ସମୟରେ କହିଛନ୍ତି।

ସମୀର ମହାନ୍ତି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଯେଉଁ ମା’ ଭଉଣୀମାନଙ୍କୁ ସଶକ୍ତିକରଣ କରିବା ନେଇ ସ୍ୱଂୟ ସହାୟିକା ଗୋଷ୍ଠୀ ଗଠନ କରିଥିଲେ ସେହି ମାନଙ୍କୁ ନେଇ ଭୋଟ ବ୍ୟାଙ୍କ ରାଜନୀତି କରୁଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ। ନିଜ ଦଳ ପାଇଁ ସରକାରୀ ଅର୍ଥକୁ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ପିପିଲି ସମେତ ସାରା ରାଜ୍ୟରେ କଂଗ୍ରେସ ତାର ସ୍ଥିତି ହରାଇ ବସିଛି। ୨୦୧୫ ମସିହା ପରଠାରୁ ରାଜ୍ୟରେ ଯେଉଁଠି ନିର୍ବାଚନ ହେଉଛି ସେଠି ବିଜେପି ଓ ବିଜେଡି ଦ୍ୱିମୁଖୀ ଲଢେଇ ହେଉଛି। ଆଗାମୀ ଉପନିର୍ବାଚନରେ କଂଗ୍ରେସ ଦୌଡରେ ନାହିଁ ।

ପିପିଲିବାସୀ ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ ନୀତିକୁ ଆପଣାଇଛନ୍ତି। ପିପିଲିରେ ବିଜେପି ବିଜୟୀ ହେଲେ ସର୍ବପ୍ରଥମେ ପିପିଲି ଡେଲାଙ୍ଗବାସୀଙ୍କ ମୌଳିକ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର, ଶୁଦ୍ଧ ପାନୀୟ ଜଳ, ଉନ୍ନତ ସ୍ୱାସ୍ଥ୍ୟସେବା, ଶିକ୍ଷା, ପ୍ରତି ଗାଁରେ ପକ୍କା ସଡକ, ବିଦ୍ୟୁତ ଯୋଗାଣ ଏବଂ ଚାଷୀ ଭାଇଙ୍କୁ ସମସ୍ତ କେନ୍ଦ୍ରୀୟ ଯୋଜନାରେ ସାମିଲ କରାଯିବ ବୋଲି ସମୀର ମହାନ୍ତି ପ୍ରତିଶୃତି ଦେଇଛନ୍ତି।

ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଆଜି ରାଜ୍ୟ ସଭାପତି ସମୀର ମହାନ୍ତି ପିପିଲି ନିର୍ବାଚନମଣ୍ଡଳୀର ବିଭିନ୍ନ ପଞ୍ଚୟତକୁ ଯାଇ ଘର ଘର ବୁଲି ପ୍ରଚାର କରିଛନ୍ତି। ସମୀର ମହାନ୍ତି ବ୍ୟକ୍ତିଗତ ଭାବେ ପିପିଲିବାସୀଙ୍କୁ ଭେଟି ବିଜେପିକୁ ଆଶୀର୍ବାଦ କରିବା ପାଇଁ ଭୋଟର ଭାଇ ଓ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି ।ସମୀର ମହାନ୍ତି ପିପିଲି ନିର୍ବାଚନମଣ୍ଡଳୀ ଡେଲାଙ୍ଗ ବ୍ଲକର କଲ୍ୟାଣପୁର ପଞ୍ଚାୟତର ବେଲପଡା, ଶିଶୁଆପଡା, ରାଢୁଅ, ବାଲିଉଙ୍କା, ମୁନିଡା ପଂଚାୟତ ଏବଂ ମୁନିଡା ଗାଁ ସମେତ ବିଭିନ୍ନ ଗାଁ କୁ ଗାଁ ବୁଲି ପ୍ରଚାର କରିଛନ୍ତି ।

Leave A Reply

Your email address will not be published.