Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନକୁ ମୁକ୍ତ ଓ ଅବାଧ ନକରିବା ଲାଗି ଶାସକଦଳ ଇଙ୍ଗିତରେ ପୋଲିସ ଷଡଯନ୍ତ୍ର ରଚିଛି: ସମ୍ବିତ ପାତ୍ର

ଭୁବନେଶ୍ୱର: ସାରା ଭାରତ ବିକାଶ ବାଦର ରାଜନୀତି ଚାହୁଁଛି। ପ୍ରଧାନମନ୍ତ୍ରୀଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ମନ୍ତ୍ରକୁ ଦେଶବାସୀ ଆପଣାଇଛନ୍ତି। ସେହି କ୍ରମରେ ଚଳିତ ଉପନିର୍ବାଚନରେ ପିପିଲିବାସୀ ପରିବର୍ତ୍ତନ ମୁହାଁ ହୋଇଛନ୍ତି। ଦୀର୍ଘ ୩୫ ବର୍ଷର ଗୁଣ୍ଡାରାଜକୁ ଛାଡି ପିପିଲି-ଡେଲାଙ୍ଗବାସୀ ବିକାଶ ବାଦରେ ସାମିଲ ହେବା ପାଇଁ ସୁନିଶ୍ଚିତ କରିଛନ୍ତି।

କିନ୍ତୁ ଦୁଃଖ ଓ ପରିତାପର ବିଷୟ କି, ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରାଇ ନଦେବା ପାଇଁ ଶାସକ ବିଜେଡି ପୋଲିସକୁ ହାତବାରିଶି କରି ବଡ ଷଡଯନ୍ତ୍ର ରଚନା କରିଛି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ବାରମ୍ବାର ମରଣାନ୍ତକ ଆକ୍ରମଣ ହେବା ଏହାର ବଡ ପ୍ରମାଣ। ଭୟର ବାତାବରଣ ସୃଷ୍ଟି କରିବା ବିଜେଡିର ଏଜେଣ୍ଡା ଓ ପୋଲିସ ଏଥିରେ ମୁଖ୍ୟ ସହାୟକ ଭାବେ କାର୍ଯ୍ୟ କରୁଛି ବୋଲି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀ ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର କହିଛନ୍ତି ଯେ, ନିର୍ବାଚନ ସମୟରେ ଜାମିନ ବିହୀନ ପରୱାନା ଥିବା ଲୋକଙ୍କ ଉପରେ କଡା ନଜର ରଖିବା ଓ ଆବଶ୍ୟକସ୍ଥଳେ ତାଙ୍କୁ ଆକଟ ଓ ଅଟକ କରିବା ପାଇଁ ବ୍ୟବସ୍ଥା ରହିଛି। କିନ୍ତୁ ଏଠି ଏହାର ବିପରୀତ କାର୍ଯ୍ୟ ହେଉଛି। ଘୋଷିତ ଅପରାଧୀ, ପଳାତକ ଏବଂ ଯେଉଁ ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା କଥା ରାଜ୍ୟ ସରକାର ଓ ପୋଲିସ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି।

ଅପରାଧୀ ଧିରେନ ସାମନ୍ତରାୟଙ୍କ ନାଁରେ ୩ଟି ହତ୍ୟା ଅଭିଯୋଗ ରହିବା ଏବଂ ପୁରୀ ଜିଲ୍ଲା କୋର୍ଟ ତାଙ୍କୁ ପଳାତକ ଘୋଷଣା କରିବା ପରେ ବି ସେ ବିଜେଡିର ବିଭିନ୍ନ ସଭା ସମିତିରେ ମଂଚାସୀନ ହେଉଛନ୍ତି। ସେହିପରି ପ୍ରିୟବ୍ରତ ସାମନ୍ତରାୟଙ୍କ ନାଁରେ ଅନେକ କେସ ରହିଛି। ସଂଜୟ ସାମନ୍ତରାୟଙ୍କୁ ପଳାତକ ଘୋଷଣା କରାଯିବା ସତ୍ୱେ ଏମାନଙ୍କୁ ପିପିଲି ନିର୍ବାଚନ ପରିଚାଳନା କରିବା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଦାୟୀତ୍ୱ ଦେଇଛନ୍ତି।

ପଳାତକ ଘୋଷିତ ହୋଇଥିବା ଅପରାଧୀମାନେ ବିଜେଡିର ତୁଙ୍ଗ ନେତାଙ୍କ ସହ ରହି ନିର୍ବାଚନକୁ ପ୍ରଭାବିତ କରାଉଛନ୍ତି। ପୂର୍ବରୁ ବିଜେଡର ସମର୍ଥକ ଥିବାଲୋକମାନେ ଦଳ ଛାଡି ବିଜେପିକୁ ସମର୍ଥନ କରୁଥିବା ଯୋଗୁଁ ଓଡିଶା ପୋଲିସ ସେମାନଙ୍କୁ ଖୋଜି ଖୋଜି ଗିରଫ କରୁଛି ଏବଂ ଅଟକ ରଖୁଛି।

ପ୍ରାୟ ୩୬ ଘଣ୍ଟା ବିତିଥିଲେ ବି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବାରେ ଓଡିଶା ପୋଲିସ ବିଫଳ ହୋଇଛି। ବର୍ତମାନ ସୁଦ୍ଧା ହାଇଦର ଫେରାର ଦେବା ଘଟଣାରେ ଷଡଯନ୍ତ୍ର ରଚିଥିବା ମୁଖ୍ୟ ଖଳନାୟକଙ୍କୁ ପୋଲିସ ଧରିପାରିଲା ନାହିଁ। ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ଜବାବ ନାହିଁ ।

ରାଜ୍ୟ ପୋଲିସର ମୁଖ୍ୟ କାର୍ଯ୍ୟାଳୟ କଟକରେ ଥାଇ ବିଶ୍ୱସ୍ତରୀୟ ହସ୍ପିଟାଲରୁ କୁଖ୍ୟାତ ଅପରାଧି କିପରି ଫେରାର ହୋଇପାରୁଛି ତାହା ରାଜ୍ୟର ଆଇନ କାନୁନ ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପିପିଲି ବିଜେଡି ପ୍ରାର୍ଥୀଙ୍କ ପାଇଁ ସରକାରୀ ଡାକ୍ତର ଡା. ଅବିନାଶ ରଥ ନିଜ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରୁଥିଲେ।

ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରିଥିଲା। ଏ ଘଟଣାରେ ସାଙ୍ଗେ ସାଙ୍ଗେ ପୋଲିସ ସଜାଗ ହୋଇ ପଛୁଆ ତାରିଖରେ ଏତଲା ହୋଇଛି କହି ସଂପୃକ୍ତ ଡାକ୍ତରଙ୍କୁ ସୁରକ୍ଷା ଦେଲା। ଏଥିରୁ ପ୍ରମାଣିତ ହେଲା କି ପୋଲିସ ଶାସକ ଦଳକୁ ସୁରକ୍ଷା ଦେବା ପାଇଁ ପୂରା ପ୍ରସ୍ତୁତ ହୋଇ ରହିଛି।

ସେହିପରି ଏପ୍ରିଲ ୭ ତାରିଖରେ ଏକ କଳା ବ୍ୟାଗ ଧରାପଡିଥିଲା ଏବଂ ସେଥିରେ ଲକ୍ଷ ଲକ୍ଷ ଟଙ୍କା ଥିଲା। କଳାବ୍ୟାଗ ନେଇ ଯାଉଥିବା ଗାଡି ଦୁର୍ଘଟଣାଗ୍ରସ୍ତ ହେବା ପରେ ପୋଲିସ ସେହି କଳା ବ୍ୟାଗକୁ ଅନ୍ୟ ଗାଡିରେ ପଠାଇବା ପାଇଁ ସାହାଯ୍ୟ କରିଥିଲା। ପୋଲିସ କିନ୍ତୁ ତଦନ୍ତ ରିପୋର୍ଟରେ ଦର୍ଶାଇଛି କି ଆଳୁ ଗୋଦାମ ମାଲିକର କହିବା ଅନୁଯାୟୀ ସେ ବ୍ୟାଗରେ କିଛି ନଥିଲ। ପୋଲିସକୁ ଲଗାଇ ବିଜେଡି ପିପିଲିରେ ଉପନିର୍ବାଚନକୁ ପ୍ରଭାବିତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପାତ୍ର କହିଛନ୍ତି।

ବିଶ୍ୱସ୍ତରୀୟ କଟକ ହସ୍ପିଟାଲରୁ ଗ୍ୟାଙ୍ଗଷ୍ଟର ହାଇଦାର ଫେରାର ହେବାର ୩୬ ଘଂଟା ପରେ ବି ରାଜ୍ୟ ସରକାର ତାକୁ ଧରିବାରେ ବିଫଳ ହୋଇଛନ୍ତି। ଶୁଣିବାକୁ ମିଳୁଛି କି କିଛି ଲୋକ ହାଇଦରକୁ ବିରିୟାନୀ ଖାଇବାକୁ ଦେଉଥିଲେ ଆଉ କିଛି ଜଣ ତା’ର ସେବା କରୁଥିଲେ। ଯଦି ଜଣେ କୁଖ୍ୟାତ ଅପରାଧୀ କଟକ ବଡ ମେଡିକାଲରୁ ଅତି ସହଜରେ ଖସିଯାଇ ପାରୁଛି ତେବେ ରାଜ୍ୟରେ ପୋଲିସ ପ୍ରଶାସନର ବଡ ବଡ ଅଧିକାରୀମାନେ କ’ଣ କରୁଛନ୍ତି? ଓଡିଶାର ଗୃହମନ୍ତ୍ରୀ ଖୋଦ୍ ମୁଖ୍ୟମନ୍ତ୍ରୀ। ତାଙ୍କରି ନାକ ତଳେ ଏଭଳି ଘଟଣା ହେବା ଦୁର୍ଭାଗ୍ୟଜନକ ।

ଗଣମାଧ୍ୟମରେ ପ୍ରକାଶ ପାଇଛି ଯେ, ମୁଖ୍ୟମନ୍ତ୍ରୀ ଦଳର ମନ୍ତ୍ରୀ ମାନଙ୍କୁ ନେଇ ବିଭାଗର କାର୍ଯ୍ୟ ତଦାରଖର ସମୀକ୍ଷା କରିବେ। ତେବେ ଗୃହବିଭାଗର ମୁଖ୍ୟ ହୋଇଥିବାରୁ ତାଙ୍କ କାର୍ଯ୍ୟର ସମୀକ୍ଷା କିଏ କରିବ ବୋଲି ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଓ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.