Odisha Link
Bridging the Missing Links in Odisha

ଅଭାବନୀୟ ଦୃଶ୍ୟ, ରାସ୍ତାରେ ଜଳୁଛି ଶବ

ସମ୍ବଲପୁର: ରାଜ୍ୟରେ ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ୟପଟେ ଦୈନିକ କୋଭିଡ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏଥିସହିତ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ମଧ୍ୟ ବହୁ ଲୋକ ମୃତ୍ୟୁ ବରଣ କରୁଛନ୍ତି। ଏସବୁ ମଧ୍ୟରେ ସମ୍ବଲପୁର ବୁଢ଼ାରଜାସ୍ଥିତ ଶାନ୍ତିଧାମ ଶ୍ମଶାନ ବାହାରେ ସର୍ବସାଧାରଣ ରାସ୍ତା କଡ଼ରେ ରବିବାର ରାତି ପ୍ରାୟ ସାଢ଼େ ୯ ଟା ବେଳେ ଶବ ଜଳୁଥିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସହରରେ ଲାଗି ରହିଛି ଚର୍ଚ୍ଚା।

ସହର ଭିତରେ ରାସ୍ତା କଡ଼ରେ ଶବ ଜଳିବା ଘଟଣା ଅନ୍ତତଃ ସମ୍ବଲପୁରରେ ପ୍ରଥମ ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବିକ ପ୍ରଥମରୁ ସ୍ଥାନୀୟ ଆଦିବାସୀ ସଂପ୍ରଦାୟ ଶବସତ୍କାର ପାଇଁ ଏହି ଶ୍ମଶାନକୁ ବ୍ୟବହାର କରି ଆସୁଥିଲେ। କିନ୍ତୁ ଏହାକୁ କୋଭିଡ ଶବଦାହ ପାଇଁ ପ୍ରସ୍ତୁତ କରାଗଲା ପରେ ସେମାନେ ଏଠାରେ ଶବଦାହ କରି ପାରୁନାହାନ୍ତି। ରବିବାର ଜଣେ ଆଦିବାସୀ ସଂପ୍ରଦାୟର ଜଣକର ମୃତ୍ୟୁ ହେବାରୁ ସେମାନେ ଏଠାକୁ ଆଣିଥିଲେ। କିନ୍ତୁ ଶ୍ମଶାନରେ ୩ଟି କୋଭିଡ ଶବ ଜଳୁଥିବାରୁ ଆଦିବାସୀ ସଂପ୍ରଦାୟର ମୃତ ବ୍ୟକ୍ତିଙ୍କ ଶବଦାହରେ ସମସ୍ୟା ସୃଷ୍ଟି ହୋଇଥିଲା। ଏହାକୁ ନେଇ ମଧ୍ୟ ଗଣ୍ଡଗୋଳ ହୋଇଥିଲା।

ଏପରିକି ମହାନଗର ନିଗମର ଜଣେ କର୍ମଚାରୀଙ୍କ ସହ ପ୍ରବଳ ଠେଲାପେଲା ଓ ଧସ୍ତାଧସ୍ତି ହୋଇଥିଲା। ମହାନଗର ନିଗମର ଜଣେ ଅଧିକାରୀ ଆସି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ବିବାଦ ଥମିଥିଲା। କିନ୍ତୁ ଏହା ଭିତରେ ସଂପୃକ୍ତ ଲୋକେ ଅନ୍ୟ ଉପାୟ ନପାଇ ଶବକୁ ଶଶ୍ମାନ ବାହାରେ ରାସ୍ତା କଡ଼ରେ ଶବ ସତ୍କାର କରିବାକୁ ବାଧ୍ୟ ହୋଇଥିଲେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.