Odisha Link
Bridging the Missing Links in Odisha

କେଜ୍ରିୱାଲଙ୍କ ‘କୋଭିଡ୍‌ ଭେରିଆଣ୍ଟ୍‌’ ମନ୍ତବ୍ୟ ନେଇ ସିଙ୍ଗାପୁର ଖପ୍ପା, ସ୍ପଷ୍ଟୀକରଣ ଦେଇ ବୈଦେଶିକ ମନ୍ତ୍ରଣାଳୟ କହିଲା…

ନୂଆଦିଲ୍ଲୀ: କରୋନାର ନୂଆ ଷ୍ଟ୍ରେନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କରିଥିବା ଟ୍ୱିଟକୁ ନେଇ ବିବାଦ। ସିଙ୍ଗାପୁର ନୂଆ କୋଭିଡ୍‌ ଷ୍ଟ୍ରେନ୍‌ ବାହାରିଛି ଏବଂ ତାହା ପିଲାମାନଙ୍କ ପାଇଁ ବିପଜ୍ଜନକ ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦେଇଥିବା ମନ୍ତବ୍ୟକୁ ସିଙ୍ଗାପୁର ଅସ୍ବୀକାର କରିବା ସହ ଭାରତ ଉପରେ ଉତ୍‌କ୍ଷିପ୍ତ ହୋଇଛି। ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରାଳୟ କହିଛି ଯେ, କେଜ୍ରିୱାଲ୍‌ଙ୍କ ଉକ୍ତିର କୌଣସି ସତ୍ୟତା ନାହିଁ। ଏଥିସହ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡାକି ସିଙ୍ଗାପୁର ପକ୍ଷରୁ ମଧ୍ୟ ପ୍ରତିବାଦ କରାଯାଇଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର୍‌ ଏସ୍‌ ଜୟଶଙ୍କର କଥାକୁ ସ୍ପଷ୍ଟୀକରଣ ରଖି କହିଛନ୍ତି, ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାରତ ତରଫରୁ କୁହନ୍ତି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦାୟିତ୍ବହୀନ ମନ୍ତବ୍ୟ ଦେଉଥିବା ବ୍ୟକ୍ତିମାନେ ଭଲଭାବେ ଜାଣିବା ଉଚିତ ଯେ, ଏହାଦ୍ବାରା ଆମ ଦୀର୍ଘ ଦିନର ସମ୍ପର୍କ କ୍ଷତିଗ୍ରସ୍ତ ହୋଇପାରେ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର୍‌ର ପ୍ରତି ଉତ୍ତର ଦେଇ ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରାଳୟ ଲେଖିଥିଲା, କୌଣସି ‘ସିଙ୍ଗାପୁରୀ ଭେରିଆଣ୍ଟ୍‌’ ନାହିଁ, ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ ଥିବା ମନ୍ତବ୍ୟ ମଧ୍ୟ ସତ୍ୟ ନୁହେଁ। ସିଙ୍ଗାପୁର ସ୍ବାସ୍ଥ୍ୟମନ୍ତ୍ରାଳୟ ଆହୁରି ମଧ୍ୟ ଲେଖିଥିଲା ଯେ, ଗତ ସପ୍ତାହରେ କୋଭିଡ୍‌-୧୯ ମାମଲାରେ ଚିହ୍ନଟ ହୋଇଥିବା ଅଧିକାଂଶ ଭୂତାଣୁ ହେଉଛନ୍ତି ଭାରତୀୟ ପ୍ରଜାତି ‘ବି.୧.୬୧୭.୨’। ଏ ଭୂତାଣୁର ସୃଷ୍ଟି ଭାରତରେ।

ସିଙ୍ଗାପୁରର ବୈଦେଶିକ ମନ୍ତ୍ରୀ ଭିଭିଆନ୍‌ ବାଳକୃଷ୍ଣ ମଧ୍ୟ କେଜ୍ରିୱାଲ୍‌ଙ୍କ ମନ୍ତବ୍ୟର ପ୍ରତି ଉତ୍ତର ଦେଇ ଲେଖିଛନ୍ତି, ‘ସିଙ୍ଗାପୁର ଭେରିଆଣ୍ଟ୍‌’ ବୋଲି କିଛି ନାହିଁ। ରାଜନେତାମାନେ ବାସ୍ତବ ତଥ୍ୟ ପ୍ରତି ବିଶ୍ବସ୍ତ ହେବା ଆବଶ୍ୟକ।

ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅରିନ୍ଦମ ବାଗଚୀ କହିଛନ୍ତି, “ସିଙ୍ଗାପୁର ସରକାର ଆମ ହାଇକମିଶନରଙ୍କୁ ଡାକି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ‘ସିଙ୍ଗାପୁର ଷ୍ଟ୍ରେନ’ ମନ୍ତବ୍ୟକୁ ବିରୋଧ କରିଛନ୍ତି। ହାଇ କମିଶନର ସ୍ପଷ୍ଟ ଭାବେ ସିଙ୍ଗାପୁର ସରକାରଙ୍କୁ କହିଛନ୍ତି ଯେ କରୋନା ଭ୍ୟାରିଏଣ୍ଟ କିମ୍ବା ବେସାମରିକ ବିମାନ ଚଳାଚଳ ପଲିସି ଉପରେ ମତ ଦେବାର ଅଧିକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କର ନାହିଁ।”

Leave A Reply

Your email address will not be published.